ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ମହିଳା କମିଶନଙ୍କ ହସ୍ତକ୍ଷେପ : ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ଵର : ମହିଳା ସାମ୍ବାଦିକାଙ୍କୁ ମାଡ ମାମଲାରେ ଅଡୁଆରେ ସଞ୍ଜୟ ନାୟକ (ଟୁଟୁ)। ତାଙ୍କ ବିରୋଧରେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ନିଜ ଆଡୁ ମାମଲା କରିବା ସହିତ ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ଖାରବେଳ ନଗର ପୋଲିସ ଟୁଟୁ ନାୟକଙ୍କୁ ଭୁବନେଶ୍ଵର ଘରୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଆଉ କୁହାଯାଇଛି ପ୍ରଯୋଜକ ସଞ୍ଜୟ ନାୟକଙ୍କୁ ପୋଲିସ ତୁରନ୍ତ ଗିରଫ କରୁ। ସେ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗନ୍ତୁ। ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ସେହିପରି ମହିଳା ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା ଘଟଣାକୁ ବିଜେପି ମହିଳା ମୋର୍ଚ୍ଚା ନିନ୍ଦା କରିଛି। ତାଙ୍କୁ ଗିରଫ କରାଯାଉ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ଵାଳ ମଧ୍ୟ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଖବର ସଂଗ୍ରହ ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଟୁଟୁ ନାୟକ ଚାପୁଡା ମାରିବା ସହିତ ଦୁର୍ବ୍ୟବହାର କରିବା ଅଭିଯୋଗ ଆସିଛି। ଏନେଇ ଖାରବେଳନଗର ଥାନା ପୋଲିସ କେସ୍‌ ନଂ-୫୫୩ରେ ଦଫା ୩୪୧, ୩୨୩, ୩୫୪ ଓ ୨୯୪ରେ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *

Back to top button