୬ ମାସ ଭିତରେ ବିଜେଡି ସରକାରର ପତ୍ତନ ହେବ : ମନମୋହନ

ରାଉରକେଲା : ଓଡ଼ିଶାରେ ବର୍ଷକୁ ହେଉଛି ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି। ‘ଆମ ଓଡିଶା-ନବୀନ ଓଡ଼ିଶା’ ଯୋଜନା ନାଁରେ ୩,୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରାଯାଇଛି। ବିଜେଡି ନେତା ଓ ଅଫିସରଙ୍କ ଭ୍ରଷ୍ଟାଚାର ପାଇଁ ଓଡ଼ିଶାର ବିକାଶ ହୋଇପାରୁନି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ଆଗାମୀ ୬ ମାସ ଭିତରେ ବିଜେଡି ସରକାରର ପତ୍ତନ ହେବ। ବିଜେପି ଏକାକୀ ପୂର୍ଣ୍ଣ ବହୁମତ ଆଣି ଲୋକାଭିମୁଖୀ ସରକାର ଗଠନ କରିବ।

ଖବର ଅନୁଯାୟୀ ରାଉରକେଲାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଲେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାକୁ ପୂରଣ କରିଛନ୍ତି। ମୋଦୀ ସରକାରଙ୍କ ଯୋଗୁଁ ରାଉରକେଲାରେ ଦ୍ଵିତୀୟ ବ୍ରାହ୍ମଣୀ ସେତୁ, ସୁପରସ୍ପେଶାଲିଟି ହସପିଟାଲ ଓ ବିମାନ ସେବା ସମ୍ଭବ ହୋଇପାରିଛି। ସେ ରାଉରକେଲାକୁ ବନ୍ଦେଭାରତ ଏକ୍ସପ୍ରେସ୍‌ ଭେଟି ଦେଇଥିବା ବେଳେ ରାଜ୍ୟ ସରକାର ରାଉରକେଲାର ବିକାଶ ପ୍ରତି ଆଖିବୁଜି ଦେଇଛନ୍ତି। ରାଜ୍ୟ ସରକାର ଯେଉଁଦିନ ନୂତନ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରସ୍ତାବ ଦେବେ ତା’ର ୨୪ ଘଣ୍ଟା ଭିତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନିଆଯିବ। ରାଉରକେଲା ବିମାନବନ୍ଦର ଜମିର ମାଲିକାନାସସତ୍ତ୍ଵ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଅନ୍ତର୍ଭୁକ୍ତ ହେବାକ୍ଷଣି ଯେଉଁସବୁ ସମସ୍ୟା ରହିଛି ସମାଧାନ ହୋଇପାରିବ। ସେ କହିଲେ ଗତ ୧୧ ବର୍ଷ ହେଲା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିର୍ବାଚନରେ ରାଜ୍ୟ ସରକାର ବାଧକ ସାଜିଥିବା ବେଳେ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।

କେନ୍ଦ୍ର ସରକାରର ସଫଳତା ସମ୍ପର୍କରେ ଶ୍ରୀ ସାମଲ କହିଲେ ଗତ ୯ବର୍ଷର ଶାସନରେ ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହୋଇଛି। ୨୦୪୭ରେ ଏକ ବିକଶିତ ଦେଶରେ ପରିଣତ ହୋଇସାରିଥିବ। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଦ୍ୱାରା ୨ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି। କଂଗ୍ରେସ ସରକାର ସମୟରେ ୧୦ବର୍ଷ ଭିତରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କା ଆସିଥିବାବେଳେ ମୋଦି ସରକାର ଅମଳରେ ୯ବର୍ଷରେ ୧୮.୭୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଛି। କିନ୍ତୁ ବିଜେଡି ସରକାରର ଦୁର୍ନୀତି ଯୋଗୁଁ ଓଡ଼ିଶାବାସୀ ଏହାର ସୁଫଳ ପାଇପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ୩୨ ଲକ୍ଷ ଆବାସ ଦେଇଥିବାସତ୍ତ୍ବେ ରାଜ୍ୟରେ ଅନେକ ହିତାଧିକାରୀଙ୍କୁ ପକ୍କା ଘର ମିଳିପାରିନାହିଁ। କେନ୍ଦ୍ର ସରକାର ‘ଜଳ ଜୀବନ ମିଶନ’ ମାଧ୍ୟମରେ ରାଜ୍ୟକୁ ୧୫ ହଜାର କୋଟିରୁ ଉର୍ଦ୍ଧ୍ବ ଅନୁଦାନ ଦେଇଥିବାବେଳେ ବିଜେଡି ସରକାର ଏହି ଅର୍ଥକୁ ଲୁଟ୍ କରିଚାଲିଛନ୍ତି; ଯଦ୍ବାରା ଜନସାଧାରଣ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏସବୁ ପ୍ରସଙ୍ଗକୁ ନେଇ ଦୁଇ ମାସ ପୂର୍ବେ ଦଳ ପକ୍ଷରୁ ସମସ୍ତ ପଞ୍ଚାୟତରେ ଘେରାଉ କାର୍ଯ୍ୟକ୍ରମ କରାଯାଇଛି। ଆସନ୍ତା ୧୪ ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ, ପୌର ପରିଷଦ ଘେରାଉ କରାଯିବ ବୋଲି ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିମଳନୀରେ ସାଂସଦ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ, ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରୟ, ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button