ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

ଭୁବନେଶ୍ଵର : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ଗତ ୧ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ୩ଟା ୨୫ରେ ବ୍ରେନଷ୍ଟ୍ରୋକରେ ତାଙ୍କର ଦେହାନ୍ତ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଖବର ଅନୁଯାୟୀ ମହେଶ୍ୱର ମହାନ୍ତି ପୁରୀରୁ କାଉନସିଲର୍ ଭାବେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ। ପରେ ପୁରୀ ପୌରପାଳିକାର ହୋଇଥିଲେ ଅଧ୍ୟକ୍ଷ। ୧୯୯୫ରେ ଜନତା ଦଳରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ତା’ ପରଠାରୁ ଲଗାତାର ୫ ଥର ପୁରୀର ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ବିଜେଡି ଟିକେଟରେ ବିଧାୟକ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ୨୦୦୪ରୁ ୨୦୦୮ ଯାଏଁ ବିଧାନସଭାର ବାଚସ୍ପତି ଥିଲେ।

ମହେଶ୍ଵର ମହାନ୍ତିଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ ମହେଶ୍ଵର ମହାନ୍ତିଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କୁ ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ଓ ଲୋକପ୍ରିୟ ରାଜନେତା ଭାବରେ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ, ଆତ୍ମୀୟସ୍ଵଜନ ଓ ଅନୁଗାମୀମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ମହେଶ୍ଵର ମହାନ୍ତି ଜଣେ ଲୋକପ୍ରିୟ ଜନନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତାଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ। ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

Leave a Reply

Your email address will not be published. Required fields are marked *

Back to top button