ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣା : ପୋଲିସ ମହାନିର୍ଦ୍ଦେଶକଙ୍କ ଠାରେ ଫେରାଦ ହେଲା ବିଜେପି

କଟକ : ବରଗଡ଼ ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ ମହାନିର୍ଦେଶକଙ୍କୁ ଭେଟି ଫେରାଦ ହେଲା ବିଜେପି। ଦଳର ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ନେତୃତ୍ବରେ ମନୋଜ ମହାପାତ୍ର, ତେଜେଶ୍ବର ପରିଡ଼ା, କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁ, ଶ୍ରୀତମ ଦାସ, ଦିଲୀପ ମଲ୍ଲିକ ଓ ଠାକୁର ରଣଜିତ ଦାସ ପ୍ରମୁଖ ପୁଲିସ ମହାନିର୍ଦେଶକଙ୍କୁ ଭେଟି ଭେଟି ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଗତ ରବିବାର ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ଶତାଧିକ ଲୋକ ଭଙ୍ଗାରୁଜା କରିଥିଲେ। କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଓ ଝରକାର କାଚକୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଥିଲେ। ପ୍ରାୟ ୧୫ ମିନିଟ୍ ଧରି ଭଙ୍ଗାରୁଜା ଚାଲିଥିଲେ ହେଁ ହାତଗଣତି ପୋଲିସ୍ ସଂଘବଦ୍ଧ ଆକ୍ରମଣକୁ ଅଟକାଇବା ପାଇଁ ସାହସ କରିନଥିଲେ। ଭଙ୍ଗାରୁଜା ପରେ ଉତ୍ତ୍ୟକ୍ତ ଲୋକେ ପାଖାପାଖି ୧୨ଟି ଗାଡ଼ିରେ ପଳାଇଥିଲେ। ବରଗଡ଼ ପୋଲିସ୍ କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଞ୍ଚା ଦେଉଛି। ଏହା ପଛରେ କୌଣସି ବାହ୍ୟଚାପ ରହିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି। ଜିଲ୍ଲାର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଛତ୍ରଛାୟାରେ ଏହି ଉଦ୍ଭ୍ରାନ୍ତ ଯୁବକମାନେ ଏପରି କାଣ୍ଡ କରିଥିବା କୁହାଯାଉଥିବା ବେଳେ ବରଗଡ ଏସପି ସୂଚନା ଦେଇଛନ୍ତି ୧୦୨ଜଣଙ୍କର ଏହି ଘଟଣାରେ ସଂପୃକ୍ତି ରହିଛି ଓ ଏନେଇ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *

Back to top button