ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନୀତିଶ କୁମାରଙ୍କ ପ୍ରସ୍ତାବ

ପାଟନା : ବିହାରରେ ଜାତି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ୬୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଖବର ଅନୁଯାୟୀ ଏହି ପ୍ରସ୍ତାବ ଅନୁଯାୟୀ ଅନୁସୂଚିତ ଜାତି (ଏସସି) ପାଇଁ ସଂରକ୍ଷଣ ବର୍ତ୍ତମାନର ୧୬ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯିବ। ସେହିପରି ଅନୁସୂଚିତ ଜନଜାତି (ଏସଟି)କୁ ୧ ପ୍ରତିଶତରୁ ୨ ପ୍ରତିଶତ, ଅତ୍ୟନ୍ତ ପଛୁଆ ବର୍ଗ (ଇବିସି) ଓ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ମିଳିତ ଭାବେ ୪୩ ପ୍ରତିଶତ ସଂରକ୍ଷଣ ଦିଆଯିବ। ପୂର୍ବରୁ ମହିଳାଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଏବେ ଏହାକୁ ଉଚ୍ଛେଦ କରାଯାଇଛି। ବିହାର ସରକାରଙ୍କ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଲାଗୁ ହେଉଥିବା ସଂରକ୍ଷଣ ବ୍ୟବସ୍ଥା ୭୫ ପ୍ରତିଶତକୁ ବୃଦ୍ଧି ପାଇବ। କାରଣ କେନ୍ଦ୍ର ସରକାର ଦେଶରେ ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି।

ମଙ୍ଗଳବାର ବିହାର ବିଧାନସଭାରେ ଜାତିଗତ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏଥିରୁ ଜଣାପଡିଛି ବିହାରରେ ୩୪ ପ୍ରତିଶତ ଲୋକଙ୍କ ମାସିକ ଆୟ ୬ ହଜାରରୁ କମ୍। ୪୨ ପ୍ରତିଶତ ଏସସି, ଏସଟିଙ୍କ ପରିବାର ଗରିବି ଭିତରେ ଜୀବନ ବିତାଉଛନ୍ତି। ମାତ୍ର ୫ ଦଶମିକ ୭୬ ପ୍ରତିଶତ ଏସସି ଓ ଏସଟି ଏକାଦଶ ଏବଂ ଦ୍ୱାଦଶ ପାସ କରିଛନ୍ତି। ଅନ୍ୟପକ୍ଷରେ ନୀତିଶ କୁମାରଙ୍କ ପ୍ରସ୍ତାବକୁ ବିଜେପି ସମର୍ଥନ କରିଛି।

Leave a Reply

Your email address will not be published. Required fields are marked *

Back to top button