୨୦୨୪ : ସରକାରୀ କର୍ମଚାରୀଙ୍କୁ ମିଳିବ ୩୦ଟି ଛୁଟି

ଭୁବନେଶ୍ଵର : ରାଜ୍ୟ ସରକାର ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଆଜି ସରକାରୀ ଛୁଟି ତାଲିକା ପ୍ରକାଶ କରିଛନ୍ତି। ଏଥିରେ ରହିଛି ୩୦ଟି ସରକାରୀ ଓ ୬ଟି ଇଚ୍ଛାଧୀନ ଛୁଟି ଦିବସ। କର୍ମଚାରୀମାନେ ଇଚ୍ଛାଧୀନ ଛୁଟି ମଧ୍ୟରୁ ନିଜ ସୁବିଧା ଅନୁସାରେ ଗୋଟିଏ ଦିନ ଛୁଟି ନେଇପାରିବେ।

ଖବର ଅନୁଯାୟୀ ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୪ ବର୍ଷର ଛୁଟି ତାଲିକାରେ ଜାନୁୟାରୀ ୧୭ ତାରିଖ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ। ସେହିପରି ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୩୦ରେ ଇଷ୍ଟର ଶନିବାର, ମେ’ ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୧୫ରେ ବାହୁଡ଼ା ଯାତ୍ରା ଓ ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରିଛନ୍ତି।

ସେହିପରି ୨୦୨୪ ଏପ୍ରିଲ ୭ ରବିବାର ‘ସବ୍‌-ଇ-କଦର’, ନଭେମ୍ବର ୧୦ ରବିବାର ଅଁଳାନବମୀ ଓ ନଭେମ୍ବର ୨୩ ଚତୁର୍ଥ ଶନିବାର ପ୍ରଥମାଷ୍ଟମୀ ପଡ଼ୁଥିବାରୁ ଏସବୁ ଇଚ୍ଛାଧୀନ ଛୁଟି ପ୍ରଭାବିତ ହୋଇଛି। ଏପ୍ରିଲ ୧୪ ରବିବାର ମହାବିଷୁବ ସଂକ୍ରାନ୍ତି, ଜୁଲାଇ ୭ ରବିବାର ରଥଯାତ୍ରା, ସେପ୍ଟେମ୍ବର ୮ରେ ରବିବାର ନୂଆଖାଇ, ଅକ୍ଟୋବର ୧୨ ଦ୍ୱିତୀୟ ଶନିବାର ମହାନବମୀ ଓ ଅକ୍ଟୋବର ୧୩ ରବିବାର ବିଜୟାଦଶମୀ ପଡ଼ୁଛି। ଏସବୁ ଦିନଗୁଡ଼ିକ ସାଧାରଣତଃ ଛୁଟି ଦିବସ ଘୋଷଣା ହୋଇଥାଏ।

ଏ ଛୁଟିଦିନଗୁଡ଼ିକୁ ବାଦ୍ ଦେଲେ ରାଜ୍ୟ କର୍ମଚାରୀମାନଙ୍କୁ ୪୬ଟି ରବିବାର ଓ ୨୨ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟିଦିନ ମିଳିବ। ଅର୍ଥାତ୍ ସରକାରୀ କର୍ମଚାରୀଙ୍କୁ ମୋଟ ଉପରେ ୩୦ଟି ସରକାରୀ ଛୁଟିଦିନ, ଗୋଟିଏ ଇଚ୍ଛାଧୀନ ଛୁଟି ସମେତ ରବିବାର ଓ ଶନିବାର (ଦ୍ୱିତୀୟ ଓ ଚତୁର୍ଥ)ରେ ୬୮ଟି ଛୁଟିଦିନ ମିଶାଇ ମୋଟ ଉପରେ ୯୯ଟି ଛୁଟିଦିନ ମିଳିବ। ଏହାଛଡା ଅନ୍ୟ ଏକ ବିଜ୍ଞପ୍ତିରେ ରାଜ୍ୟରେ ଥିବା ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକ ପାଇଁ ୨୦ଟି ସରକାରୀ ଛୁଟି ଦିବସ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button