ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି : ବିଜେପି

ଭୁବନେଶ୍ୱର : ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି। ବିଭିନ୍ନ ଅପରାଧରେ ସଂପୃକ୍ତ ଦଳୀୟ ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି ବୋଲି ବିଜେପି ଅଭିଯୋଗ କରିଛି।

ଖବର ଅନୁଯାୟୀ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି
ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ୩୦୦ରୁ ଉର୍ଦ୍ଧ୍ୱ ବିଜେଡି ସମର୍ଥକ, କର୍ମୀ ଓ ନେତାଙ୍କ ଉପରେ ଏତଲା ରୁଜୁ ହୋଇଛି। ସେମାନେ ବିଜେଡ଼ିର ବିଭିନ୍ନ ପଦପଦବୀରେ ଥିବା ବେଳେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଏମାନଙ୍କ ନେତୃତ୍ୱ ନେଉଥିଲେ। ସେମାନଙ୍କ ବିରୁଦ୍ଧରେ ୧୨୦-ବି ଅପରାଧୀକ ଷଡଯନ୍ତ୍ର, ୩୦୭-ହତ୍ୟା ଉଦ୍ୟମ, ୩୯୫-ଡକାୟତି, ୪୫୫-ବେଆଇନ ଭାବେ ଗୃହରେ ପ୍ରବେଶ ଭଳି ସଙ୍ଗୀନ ଦଫା ଲାଗିଛି। ସିସିଟିଭି ଫୁଟେଜ ସହ ଅନେକ ଫଟୋ ଚିତ୍ରର ସବୁ ପ୍ରମାଣ ଥାଇ ମାତ୍ର ୧୦୨ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି। କିନ୍ତୁ ମାତ୍ର ୬ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ କାହିଁକି ଓ କାହା ଚାପରେ ଗିରଫ କରାଯାଉନାହିଁ। ବିଧାୟକ ସୁଶାନ୍ତ ସିଂହ କ’ଣ ଆଇନର ଉର୍ଦ୍ଧ୍ୱରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଲେ ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ସର୍ବସାଧାରଣରେ ନିନ୍ଦିତ କରାଇବା ପାଇଁ ପୋଲିସ ସଂଘ ସାମ୍ବାଦିକ ସମ୍ମିଳନୀ କରି ନିନ୍ଦା କରିଥିଲେ। ହେଲେ ଆଦିବାସୀ ଏସ୍‌ଆଇ ପୋଲିସ ସଂଘର ସଦସ୍ୟ ନୁହନ୍ତି କି ? ତାଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ପୋଲିସ ସଂଘ ଗଲା କୁଆଡେ ? କାହିଁକି ସଂଘ ମୁହଁ ଲୁଚାଇଛି ପୋଲିସ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହାଛଡା ଷଡଯନ୍ତ୍ରକାରୀ ଭଟଲୀ ବିଧାୟକଙ୍କ ସମେତ ସମସ୍ତ ଅପରାଧିକୁ ତୁରନ୍ତ ଗିରଫ କରିବା ପାଇଁ ଗୃହବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ। ଯଦି ନକରନ୍ତି ତାହାଲେ ଗୃହବିଭାଗ ଛାଡନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button