କୋଲକତା-ପାରାଦୀପ ବସ୍‌ରେ ଅଗ୍ନିକାଣ୍ଡ : ଜଳିଗଲେ ମହିଳା ଯାତ୍ରୀ

କୋଲକାତା : ପଶ୍ଚିମବଙ୍ଗ ଖଡ଼ଗପୁରର ମାଦପୁର ନିକଟରେ ବସରେ ଅଗ୍ନିକାଣ୍ଡ। ଏଥିରେ ଆସୁଥିବା କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁର ପୁଷ୍ପାଞ୍ଜଳି ଦାସଙ୍କର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’ ନାମକ ଏକ ଏସି ସ୍ଲିପର୍ ବସ୍ କୋଲକାତାର ବାବୁଘାଟରୁ ଶୁକ୍ରବାର ରାତିରେ ପାରାଦୀପ ଆସୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ବସ୍ ଭିତରୁ ବାହାରି ନପାରିବାରୁ ପୁଷ୍ପାଞ୍ଜଳିଙ୍କର ମୃତ୍ୟୁ ହୋଇଛି। ଦୀପାବଳି ପାଇଁ କୋଲକତାରେ ଚାକିରି କରୁଥିବା ସ୍ୱାମୀ ଓ ପୁଅ ସହ ପୁଷ୍ପାଞ୍ଜଳି ଗାଁକୁ ଫେରୁଥିଲେ। ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ଖଡପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଆଁ ଲାଗିଥିବା ବସରେ ସମୁଦାୟ ୩୮ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ଜଣ ଯାତ୍ରୀ ଆସିଥିଲେ।

ଅନ୍ୟପକ୍ଷରେ ବସରେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁହାଯାଉଛି ଗାଡ଼ି ଭିତରେ ବାଣ ଓ ମହମବତି ରହିଥିଲା। ଇଞ୍ଜିନ ନିକଟରେ ପ୍ରଥମେ ନିଆଁ ଲାଗିଥିଲା। ପୁଷ୍ପାଞ୍ଜଳି ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର ତାହା ସମ୍ଭବ ହୋଇ ପାରି ନ ଥିଲା। ଗାଡ଼ିର ଡୋର ଲକ୍‌ ହୋଇ ଯାଇଥିଲା। ଫଳରେ ପ୍ରାଣ ବିକଳରେ ଯାତ୍ରୀମାନେ ଝରକା ଡେଇଁ ବାହାରକୁ ବାହାରିଥିଲେ। ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା। ଖବର ପାଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ଆମ୍ବୁଲାନ୍ସ ସହ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା। ଜଳେଶ୍ୱର ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ। ଓଡିଶାର ଆହତ ମାନଙ୍କୁ ଏକ ସ୍ୱତନ୍ତ୍ର ବସରେ ଅଣାଯାଇଛି। ଦୁର୍ଘଟଣା ପରଠାରୁ ବସ୍ ଡ୍ରାଇଭର୍, କଣ୍ଡକ୍ଟର ଓ ହେଲଫରଙ୍କ ପତ୍ତା ନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button