୨୦୨୪-୨୫ ବଜେଟ୍ ପାଇଁ ଡିସେମ୍ବର ୧୫ ସୁଦ୍ଧା ପ୍ରସ୍ତାବ ଦେବାକୁ ଚିଠି

ଭୁବନେଶ୍ଵର : ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଆସନ୍ତାବର୍ଷ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଉପସ୍ଥାପନ କରିବେ। ଏହି ବଜେଟର କଳେବର ଚଳିତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ ହେବ।

ଖବର ଅନୁଯାୟୀ ୨୦୨୪-୨୫ ବର୍ଷର ବଜେଟ୍ ଚଳିତ ଆର୍ଥିକ ବର୍ଷର ବଜେଟ୍ ଶୈଳୀରେ ପ୍ରସ୍ତୁତ ହୋଇଛି। ତେଣୁ ଡିସେମ୍ବର ୧୫ତାରିଖ ସୁଦ୍ଧା ବଜେଟ୍ ଚିଠା ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛି। ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ସବୁ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି। ୨୦୨୪ ଫେବୃୟାରୀରେ ବଜେଟ ଉପସ୍ଥାପିତ ହେବ। ତେଣୁ ୨୦୨୩-୨୪ ଆର୍ଥିକ ବର୍ଷର ସଂଶୋଧିତ ଏଷ୍ଟିମେଟ୍ ଓ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଶ୍ରୀ ଦେବ କହିଛନ୍ତି ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଜାତୀୟସ୍ତରରେ ଅଭିବୃଦ୍ଧି ହାର ପ୍ରାୟ ୬.୫ ପ୍ରତିଶତ ରହିବାର ଆକଳନ ହୋଇଛି। କିନ୍ତୁ ମାନବ, ପ୍ରାକୃତିକ ଓ ଆର୍ଥିକ ସମ୍ବଳର ବିକାଶ ସହ ଉତ୍ପାଦନକ୍ଷମ ଅର୍ଥବ୍ୟବସ୍ଥା ଯୋଗୁ ରାଜ୍ୟର ଅଭିବୃଦ୍ଧି ହାର ୨୦୨୩-୨୪ରେ ୮ରୁ ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ୨୦୨୪-୨୫ରେ ମଧ୍ୟ ଏହି ହାର ବଜାୟ ରହିବ। ସେଥିପାଇଁ
ବଜେଟ୍ ପ୍ରସ୍ତୁତବେଳେ ବିଭାଗଗୁଡ଼ିକ ଦାରିଦ୍ର୍ୟ ଦୂରୀକରଣ, ଅସମାନତା ଦୂର, ମହିଳା ସଶକ୍ତିକରଣ, ସାମଗ୍ରିକ ଓ ସ୍ଥାୟୀ ଆର୍ଥିକ ବିକାଶ, ସମସ୍ତଙ୍କୁ କାମ ସମେତ ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା ବିକାଶ, ପାନୀୟ ଜଳ, ଜଳସେଚନ, ଗ୍ରାମ୍ୟ ସଂଯୋଗୀକରଣ, ପରିଚ୍ଛନ୍ନତା, କ୍ରୀଡ଼ା ଭିତ୍ତିଭୂମି, ସହରୀ ଭିତ୍ତିଭୂମି ବିକାଶ ଆଦି ମାଧ୍ୟମରେ ନିରନ୍ତର ସ୍ଥାୟୀ ବିକାଶ ଲକ୍ଷ୍ୟ-୨୦୩୦ ହାସଲ କରିବା ଦିଗରେ ସରକାରଙ୍କ ପ୍ରାଥମିକତାକୁ ଦୃଷ୍ଟିରେ ରଖିବେ। ମହିଳାମାନଙ୍କ ସଶକ୍ତ ଓ ଆର୍ଥିକ ସମାବେଶ, କୃଷି ଭିତ୍ତିଭୂମି କ୍ଷେତ୍ରର ସୁଦୃଢ଼ କରିବା ସରକାରଙ୍କ ପ୍ରାଥମିକତା କ୍ଷେତ୍ର ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button