ବିଜେଡିର ଦଳୀୟ ଚିହ୍ନ “ଶଙ୍ଖ” ଉପରେ ବ୍ୟାନ ଲଗାଯାଉ : ଡ. ଯତୀନ ମହାନ୍ତି

ଭୁବନେଶ୍ୱର : ବିଜୁ ଜନତା ଦଳ କ୍ରମାଗତ ଭାବେ ଦଳୀୟ ଚିହ୍ନ (ଶଙ୍ଖ)କୁ ସରକାରୀ କାର୍ଯ୍ୟକ୍ରମ, ଗଣମାଧ୍ୟମ ବିଜ୍ଞାପନ, ରାସ୍ତା ହୋର୍ଡଂ ଓ ବସ୍‌ରେ ପୋଷ୍ଟରମାରି ପ୍ରଚାର ପ୍ରସାର କରୁଛି। ଏନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଡ. ଯତୀନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ନଭେମ୍ବର ୧୦ ତାରିଖରେ ଦିଲ୍ଲୀ ସ୍ଥିତ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ଖବର ଅନୁଯାୟୀ ଶନିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ସାଧାରଣ ଜନତାଙ୍କ ଟଙ୍କାକୁ କୌଣସି ରାଜନୈତିକ ଦଳ ନିଜର ପ୍ରଚାର ପ୍ରସାର କରିନପାରିବା ନେଇ କମନକଜ୍ ଭରସେସ୍ ୟୁନିୟନ ଅଫ ଇଣ୍ଡିଆ-୨୦୧୫ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ରାୟ ରହିଛି। ଯଦି କୌଣସି ରାଜନୈତିକ ଦଳ ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରନ୍ତି ତେବେ ଇଲେକ୍ସନ ସିମ୍ବଲ (ରିଜରଭେସନ ଆଣ୍ଡ୍ ଆଲଟମେଂଟ) ଅର୍ଡର ୧୯୬୮ ପାରା ୧୬-ଏ ଅନୁଯାୟୀ ଦଳୀୟ ଚିହ୍ନକୁ ବାତିଲ କରିବା କ୍ଷମତା ନିର୍ବାଚନ ଆୟୋଗ ପାଖରେ ଅଛି।

ଦୀର୍ଘଦିନ ଶାସନରେ ରହି ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ଟଙ୍କାକୁ ହରିଲୁଟ୍ କରି ବିଜ୍ଞାପନରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ଯୋଜନାରେ ଶଙ୍ଖ ଚିହ୍ନ ବ୍ୟବହାର କରୁଛି। ମୁଖ୍ୟ ନିର୍ବାଚନ କମିଶନଙ୍କ ଉତ୍ତରକୁ ଅପେକ୍ଷା ବିଜେପି କରିଛି। ବିଜୁ ଜନତା ଦଳ ଶଙ୍ଖ ଚିହ୍ନ ବ୍ୟବହାର କରି ଯେଉଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛି ତାହାକୁ ନିଜ ଦଳୀୟ ପାଣ୍ଠିରୁ ଅସୁଲ କରୁ। ନଚେତ ଆବଶ୍ୟକ ପଡିଲେ ଭାରତୀୟ ଜନତା ପାର୍ଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଆଇନଜୀବୀ ସୂର୍ଯ୍ୟ କାନ୍ତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button