ଓଡ଼ିଶାରେ ମୋଦି ଓ ନବନୀ ମାର୍କା ବିକାଶର ବିକଳ ଚିତ୍ର

ଭୁବନେଶ୍ୱର : ଗଜପତି ଜିଲ୍ଲାର ପଳାଶପଦର ପଂଚାୟତ ଅନ୍ତର୍ଗତ ଡିମ୍ବିରି ପଙ୍କାଳ ଗାଁରେ କୁନି କୁନି ସ୍କୁଲ ଛାତ୍ରଛାତ୍ରୀମାନେ ନାଳରେ ବାସନ ଧୋଇବା ଓ ଦୁଷିତ ପାଣି ପିଇବା ଚିତ୍ର ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଓଡ଼ିଶା ଶାସନ ବ୍ୟବସ୍ଥାର ବାସ୍ତବ ଚିତ୍ର। ଏହା କହିଛନ୍ତି କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଂଚାନନ ଦାଶ।

ଖବର ଅନୁଯାୟୀ ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଂଚାନନ ଦାଶ କହିଛନ୍ତି ରାଜ୍ୟ ସରକାରଙ୍କର ଅପାରଗତାର ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ଅନେକ ପ୍ରମାଣ ରହିଛି। ଜନତାଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁନଥିବା ଏହି ସରକାର ମିଛ ବିଜ୍ଞାପନରେ ନିଜକୁ ଏକ ନମ୍ବର କରିଥିଲେ ହେଁ ବାସ୍ତବ ଚିତ୍ର ବଡ଼ କରୁଣ। ନବୀନ ବାବୁଙ୍କ ନେତୃତ୍ୱରେ ବିଗତ ୨୪ ବର୍ଷରୁ ୯ ବର୍ଷର ଖୋଲାଖୋଲି ବିଜେଡ଼ି ଓ ବିଜେପି ମିଳିତ ଶାସନ ଏବଂ ପରେ ଲୁଚିଛପି ମିଳିତ ଶାସନ ଓଡ଼ିଶାକୁ ଅନ୍ୟ ରାଜ୍ୟ ତୁଳନାରେ ବିକାଶ କରିପାରି ନାହାନ୍ତି। ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଆଙ୍କ ସ୍ୱାଭିମାନ ଭଙ୍ଗ ହୋଇ ପ୍ରଶାସନିକ ଠାରୁ ବେପାର ବଣିଜ ଯାଏ ଅଣ ଓଡ଼ିଆଙ୍କର ପ୍ରାଧାନ୍ୟ ବଢ଼ିଛି। ଏପରିକି ବିଜେଡ଼ି ବିଜେପି ମିଳିତଭାବେ ଓଡ଼ିଶାରେ ଅଣଓଡ଼ିଆଙ୍କର ଉତଥାନ କରିବାରେ ଲାଗିଛନ୍ତି। ବର୍ତ୍ତମାନ ରାଜ୍ୟବାସୀ ଏହାର ଜବାବ ଦେବାର ସମୟ ଆସିଛି।

ସେ କହିଲେ ଉନ୍ନତ ମାନର ପିଇବା ପାଣିର ସ୍ଥିତି ଆମ ଓଡିଶା କିମ୍ବା ଭାରତର ସେମିତି କିଛି ଭଲ ଥିବାପରି ଜଣା ପଡ଼େ ନାହିଁ। ମାର୍ଚ୍ଚ ୨୦୨୩ ରେ ପ୍ରକାଶିତ ଏନଏସଏସର ୭୮ ତମ ରିପୋର୍ଟ ଅନୁସାରେ ସାରା ଭାରତରେ ୫୪.୪% ପରିବାରଙ୍କ ପାଖରେ ପିଇବା ପାଣିର ସ୍ୱତନ୍ତ୍ର ବ୍ୟବହାର ପାଇଁ ସୁବିଧା ଥିଲା। ସେମିତି ଭାରତ ବର୍ଷରେ ୩୯.୧ ରହିବା ଆବାସ ଭିତରେ ପିଇବା ପାଣିର ସୁବିଧା ଥିବା ବେଳେ ୨୭.୧% ଘର ବାହାରେ ରହିଛି। କିନ୍ତୁ ପରିସର ଭିତରେ ପିଇବା ପାଣିର ସୁବିଧା ଥିବା ତଥ୍ୟ ପ୍ରଦାନ କରାଯାଇଛି। ଭାରତରେ ୩୩.୭% ଲୋକ ଘର ପରିସରର ବାହାରକୁ ଯାଇ ପିଇବାପାଣି ସଂଗ୍ରହ କରୁଥିବା ତଥ୍ୟ ପ୍ରକାଶ ପାଇଛି।

ସେହିପରି ଆମ ରାଜ୍ୟରେ ୩୦% ଲୋକଙ୍କ ଘର ପରିସରରେ ପାନୀୟ ଜଳର ଉନ୍ନତ ଉତ୍ସ ଅବସ୍ଥିତ ଥିବାବେଳେ ସର୍ବଭାରତୀୟ ସ୍ଥରରେ ଏହା ୬୬% । ଏହି ରିପୋର୍ଟ ଅନୁସାରେ ପାଇପ ଯୋଗେ ପାଣି ସୁବିଧା ମାତ୍ର ୧୩% ଲୋକଙ୍କ ପାଖରେ ଅଛି। ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରୁ ଆମ ରାଜ୍ୟ ରହିଛି ୩୧ ତମ ସ୍ଥାନରେ। ସାରା ଭାରତରେ ମାତ୍ର ୩୨.୯% ଲୋକ ପାଇପ ଯୋଗେ ପାଣି ସୁବିଧା ପାଆନ୍ତି। ପିଇବା ପାଣି କ୍ଷେତ୍ରରେ ଆଦିବାସୀ ପରିବାର ସବୁଠାରୁ ପଛରେ। ତାପରେ ଦଳିତ ପଛୁଆ ବର୍ଗ ଓ ଅନ୍ୟମାନେ। ସର୍ବଭାରତୀୟ ସ୍ତରରେ ୩୩.୭% ଆଦିବାସୀ, ୫୬.୬% ଦଳିତ, ୬୪.୪% ପଛୁଆବର୍ଗ ଏବଂ ୭୩.୧% ଅନ୍ୟମାନଙ୍କ ଘର ପରିସରରେ ବର୍ଷସାରା ଯଥେଷ୍ଟ ଉପଲବ୍ଧ ପାନୀୟ ଜଳର ଉନ୍ନତ ଉତ୍ସ ଅବସ୍ଥିତ । ନଳ ଯୋଗେ ୧୯.୫% ଆଦିବାସୀ, ୨୭.୪% ଦଳିତ, ୩୨.୨% ପଛୁଆବର୍ଗ ଏବଂ ଅନ୍ୟମାନେ ୪୪.୧% ବର୍ଷସାରା ଯଥେଷ୍ଟ ଉପଲବ୍ଧ ପିଇବାପାଣିର ସୁବିଧି ଥିବାରୁ ତଥ୍ୟ ଉପସ୍ଥାପନ କରାଯାଇଛି। ଘରେ ଘରେ ପାଇପ ଦ୍ୱାରା ପିଇବାପାଣିର ଯୋଗାଣ ସୁବିଧାକୁ ଅନ୍ୟ ରାଜ୍ୟ ସାଙ୍ଗରେ ତୁଳନା କଲେ ଆମ ରାଜ୍ୟ ସବୁଠୁ ନିମ୍ନରେ ରହିଛି ବୋଲି ଶ୍ରୀ ଦାଶ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button