Tue. Dec 10th, 2019

ପିଇବା ପାଣିର ନମୁନା ରିପୋର୍ଟ : ଭୁବନେଶ୍ୱର ଦ୍ୱିତୀୟ

ନୂଆଦିଲ୍ଲୀ : ପାଣି ଗୁଣବତ୍ତା ଦୃଷ୍ଟିରୁ ଦେଶର ୨୧ ସହର ମଧ୍ୟରୁ ଭୁବନେଶ୍ଵର ସହର ଦ୍ଵିତୀୟ ସର୍ବୋତ୍ତମ ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଇବା ପାଣିର ନମୁନା ଯାଞ୍ଚ ସର୍ଭେ ରିପୋର୍ଟରୁ ଏହି ସୂଚନା ମିଳିଛି।

କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଦ୍ଵାରା ପିଇବା ପାଣିର ଶୁଦ୍ଧତା ଉପରେ ସର୍ଭେ କରାଯାଇଥିଲା। ଦେଶର ୨୧ଟି ସହରରୁ ଜଳ ନମୁନା ଯାଞ୍ଚରୁ ଜଣାପଡିଛି ଶୁଦ୍ଧତାରେ ଭୁବନେଶ୍ଵର ଓ ହାଇଦ୍ରାବାଦ ୨ୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ରହିଛି ମୁମ୍ବାଇ। ହାଇଦ୍ରାବାଦ ଓ ଓଡ଼ିଶା ପରେ ରାଞ୍ଚି ଓ ରାୟପୁର ସହରର ପାଣି ଗୁଣବତ୍ତା ଉତ୍ତମ ବୋଲି ରିପୋର୍ଟରୁ ଦର୍ଶଯାଇଛି।

ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ୧୦ଟି ସ୍ଥାନରୁ ପିଇବା ପାଣିର ୧୧ଟି ନମୁନା ପରୀକ୍ଷା କରାଯାଇଥିଲା। ୧୯ଟି ଗୁଣବତ୍ତା ସୂଚକରେ ଦିଲ୍ଲୀ ବିଫଳ ହୋଇଛି। ଦିଲ୍ଲୀର ପାଣି ଅଧିକ ଦୂଷିତ ଥିବା ରିପୋର୍ଟରୁ ଜଣାପଡ଼ିଛି। ୨ୟ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରେ ୨୦ଟି ପ୍ରମୁଖ ସହରର ପିଇବା ପାଣି ନମୁନା ଯାଞ୍ଚରେ ପ୍ରଥମ ସ୍ଥାନରେ ମୁମ୍ବାଇ ରହିଛି। ଅମରାବତୀ, ସିମ୍‌ଲା, ଚଣ୍ଡିଗଡ଼, ତ୍ରିବେନ୍ଦ୍ରମ୍, ପାଟନା, ଭୋପାଳ, ଗୌହାଟୀ, ବେଙ୍ଗାଲୁରୁ, ଗାନ୍ଧୀନଗର, ଲକ୍ଷ୍ନୌ ଓ ଜୟପୁର ସହରରେ ପିଇବା ପାଣିରେ ପ୍ରଦୂଷଣ ମାତ୍ରା ରହିଥିବା ରିପୋର୍ଟରେ କୁହାଯାଇଛି।

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଦ୍ବାରା ସାରା ଦେଶରେ ପିଇବା ପାଣିର ନମୁନା ଏକାଠି କରି ତାହାର ଗୁଣବତ୍ତା ପରୀକ୍ଷା କରାଯାଇଛି। ଦୁଇଟି ପର୍ଯ୍ୟାୟରେ ୨୧ଟି ସହରରେ ଗୁଣବତ୍ତା ଯାଞ୍ଚ ଶେଷ ହେବା ପରେ ତୃତୀୟ ପର୍ଯ୍ୟାୟରେ ଉତ୍ତର-ପୂର୍ବ ରାଜ୍ୟ ଓ ଦେଶର ୧୦୦ଟି ସ୍ମାର୍ଟ ସିଟିରୁ ପିଇବା ପାଣିର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଆସନ୍ତା ବର୍ଷ ଜାନୁଆରୀ ୧୫ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଆସିବ ବୋଲି କୁହାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଦେଶର ସମସ୍ତ ଜିଲ୍ଲାମାନଙ୍କରୁ ପିଇବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ। ଅଗଷ୍ଟ ୧୫, ୨୦୨୦ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଇଛି

Leave a Reply

Your email address will not be published. Required fields are marked *