ପୂଜକଙ୍କୁ ହତ୍ୟା ମାମଲାରେ ୭ ଗିରଫ

କୋରାପୁଟ : ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା ଘଟଣାରେ ଦୁଇ ଯୁବତୀଙ୍କ ସମେତ ୭ ଜଣଙ୍କୁ ଟାଉନ୍ ଥାନା ପୋଲିସ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ କୋରାପୁଟ ଜାତୀୟ ରାଜପଥ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କୋରାପୁଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି। ଲୁଟ ପାଇଁ ଅଭିଯୁକ୍ତମାନେ ପୂଜକଙ୍କ ହାତ ଗୋଡ଼ ସହ ମୁହଁକୁ କପଡ଼ାରେ ବାନ୍ଧି ଦେଇଥିଲେ। ତେଣୁ ଅଣନିଃଶ୍ୱାସୀ ହୋଇ ପୂଜକ ରମେଶ ପ୍ରାଣ ହରାଇଥିଲେ ବୋଲି ଏସଡିପିଓ ଡ. ଶ୍ରାବଣୀ ନାୟକ ସୂଚନା ଦେଇଛନ୍ତି।

ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଯୁବତୀ ହେଲେ ସହରର ହାଟପଦାର ସରସ୍ଵତୀ ଜାନୀ ଓ ରଥ ଶର୍ମା କଲୋନୀର ରମା ଗୌଡ଼। ଏମାନେ ପୂଜକଙ୍କ ଘରେ କାମ କରୁଥିଲେ। ଅନ୍ୟ ୫ ଜଣଙ୍କ ମଧ୍ୟରେ ନାଳଚୁଆଁ ଗାଁର ପ୍ରତାପ ଟାକରି, ଇନ୍ଦିରା କଲୋନୀର କିଶାନ ବାଗ, ପିଏଚଡି କଲୋନୀର ନୀରଜ ବେନିଆ, ହାଟପଦା ଅଞ୍ଚଳର ମହେନ୍ଦ୍ର ପାଣିଗ୍ରାହୀ ଓ ମିଶନ କମ୍ପାଉଣ୍ଡ ଅଞ୍ଚଳର ଅଶୋକ ରାୟ ରହିଛନ୍ତି। ଏମାନଙ୍କ ଠାରୁ ପୋଲିସ୍‌ ପୂଜକଙ୍କ ଘରୁ ଲୁଟ ହୋଇଥିବା ନଗଦ ୧୫ ହଜାର ଟଙ୍କା, ସୁନା-ରୂପା ଗହଣା ଓ ୬ଟି ମୋବାଇଲ ଆଦି ଜବତ କରିଛି।

Leave a Reply

Your email address will not be published. Required fields are marked *

Back to top button