ଲଘୁଚାପ ବାତ୍ୟା ରୂପ ନେବ ନାହିଁ : ସ୍କାଏମେଟ୍

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ୧୬ ତାରିଖରେ ଅବପାତରେ ପରିଣତ ହେବ। କିନ୍ତୁ ସାମୁଦ୍ରିକ ବାତ୍ୟାର କୌଣସି ସମ୍ଭାବନା ନାହିଁ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଏହି ସୂଚନା ଦେଇଛି।

ଖବର ଅନୁଯାୟୀ ସୋମବାର ସ୍କାଏମେଟ କହିଛି ନଭେମ୍ବର ୧୪ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୧୬ ବେଳକୁ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୫ ତାରିଖରୁ ଉପକୂଳ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ବର୍ଷା ଆରମ୍ଭ ହୋଇପାରେ। ଏହାଛଡା ତାମିଲନାଡ଼ୁଠାରୁ ଆରମ୍ଭ କରି ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ପୂର୍ବ ଉପକୂଳରେ ପ୍ରଭାବ ଦେଖିବାକୁ ମିଳିବ। କିନ୍ତୁ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ବହୁତ କମ୍ବୋ।

୧୪ ଓ ୧୫ ତାରିଖରେ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ରହିବ। ୧୫ ଓ ୧୬ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ରହିବ। ମତ୍ସ୍ୟଜୀବୀମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଲଘୁଚାପ ସୃଷ୍ଟି ପରେ ଏହାର ରୂପରେଖ ସ୍ପଷ୍ଟ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *

Back to top button