Fri. Dec 6th, 2019

ସକ୍ରିୟ ହେଉଛନ୍ତି ନିରଞ୍ଜନ ବିରୋଧୀ

ଭୁବନେଶ୍ୱର (ଯଦୁନାଥ ଓଝା) : କଂଗ୍ରେସ ରାଜନୀତି ଏବେ ଗୋଳମାଳିଆ। କିଛିଦିନ ହେଲା ଆରମ୍ଭ ହୋଇଛି ପିସିସି ସଭାପତି ହଟାଓ ଅଭିଯାନ। ସଂଖ୍ୟା ଯୋଗାଡରେ ଲାଗିପଡିଛନ୍ତି ବିରୋଧୀ। ରାଜ୍ୟରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନକୁ ମାଧ୍ୟମ କରି ବିରୋଧୀ କହୁଛନ୍ତି ନିରଞ୍ଜନ ନହଟିବା ଯାଏ ଓଡିଶାରେ କଂଗ୍ରେସର ସ୍ଥିତି ସୁଧୁରିବନି। ଏହି ସ୍ଵର ସପକ୍ଷରେ ରହିଛନ୍ତି ହେମାନନ୍ଦ ବିଶ୍ୱାଳ, କାହ୍ନୁ ଲେଙ୍କା, ମତଲୁବ ଅଲ୍ଲୀ ଓ ସଂଧ୍ୟା ମହାପାତ୍ରଙ୍କ ଭଳି ଅନେକ ବରିଷ୍ଠ ନେତା। ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ କାର୍ଯ୍ୟାନୁଷ୍ଠାନ ଧମକକୁ ଖାତିର ନକରି ବିରୋଧୀ ଗୋଷ୍ଠୀ ଅଧିକ ସକ୍ରିୟ ହୋଥିବା ବେଳେ ଦିଲ୍ଲୀ ଯିବାପାଇଁ ସଜବାଜ ହେଉଛନ୍ତି। କିନ୍ତୁ କେଉଁମାନେ ଯିବେ ତାହା ଜଣାପଡିନି। ତେବେ ମହମ୍ମଦ ମୋକିମଙ୍କୁ ପିସିସି କରିବାକୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟରେ ଦାବି କରାଯିବ ବୋଲି ଜଣା ପଡିଛି।

ବିରୋଧୀଙ୍କ ଯୁକ୍ତି ହେଲା ରାଜ୍ୟରେ ୨୦୧୯ ସାଧାରଣ ନିର୍ବାଚନ ଓ ଦୁଇଟି ଉପନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ପିସିସି ସଭାପତିଙ୍କ ଅପାରଗତା ପାଇଁ ଦଳୀୟ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ସମ୍ଭବ ହୋଇନି। ତେଣୁ ନିରଞ୍ଜନ ପଟ୍ଟନାୟକ ବଦଳିବା ଆବଶ୍ୟକ। ନଚେତ ଓଡିଶାରେ କଂଗ୍ରେସ ଉଧେଇ ପାରିବନି।

ନିରଞ୍ଜନଙ୍କୁ ଗାଦିରୁ ହଟାଇବା ପାଇଁ ଏଇ ମାତ୍ର କିଛିଦିନ ପୂର୍ବରୁ ଭୁବନେଶ୍ଵର ପାନ୍ଥ ନିବାସରେ କିଛି ନେତା ବନ୍ଧୁ ମିଳନ ନାଁ’ରେ ଏକାଠି ହୋଇଥିଲେ। ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲ କୁଆଡେ ନେଇଥିଲେ ନେତୃତ୍ୱ। ସେଠାରେ ମୁରଲୀଧର ଜେନା, କୁମାର ଚିରଞ୍ଜିବ, ସନତ ଦାଶ, ଅଶୋକ ସାମଲ ଓ ତ୍ରିଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ନିରଞ୍ଜନ ପିସିସି ସଭାପତି ପଦରେ ରହିବେ ବୋଲି ସ୍ପଷ୍ଟ କରିଥିଲେ। ଏବେ ଦେଖାଯାଉଛି ନିରଞ୍ଜନ ବିରୋଧୀମାନେ କାର୍ଯ୍ୟାନୁଷ୍ଠାନ ଧମକରେ ଦବିନଯାଇ ଆଗକୁ ବଢିବାକୁ ପ୍ରୟାସ କରୁଛନ୍ତି।

ଏ କଥା ଜଳଜଳ ଦେଖାଗଲାଣି। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ପହଞ୍ଚିଥିଲେ ନିରଞ୍ଜନ ବିରୋଧୀ। ହେଲେ ସମର୍ଥନ ମିଳିଲାନି। ଏଥିରେ ସେମାନେ ଭାଙ୍ଗି ପଡିନାହାନ୍ତି। ୧୦ରୁ ୧୫ ଜଣିଆ ଏକ ଟିମ୍ ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତି ଚାଲିଛି। କୁହାଯାଉଛି ଆପଏଣ୍ଟମେଣ୍ଟକୁ ରହିଛି ଅପେକ୍ଷା। ସୋନିଆଙ୍କ ଠାରୁ ଗ୍ରୀନ୍ ସିଗନାଲ ମିଳିଲେ ଦିଲ୍ଲୀଯାଇ ସାକ୍ଷାତ କରିବେ। ତେବେ ଦେଖିବାର କଥା ନିରଞ୍ଜନ ବିରୋଧୀ ସୋନିଆଙ୍କୁ ବୁଝାଇବାରେ ସଫଳ ହେଉଛନ୍ତି ନାଁ ନାହିଁ। ଯଦି ବିରୋଧୀଙ୍କୁ ସଫଳତା ମିଳେ ତେବେ ଅଖିମୁଠି ଅନୁକୂଳ କରିବା ପୂର୍ବରୁ ଯେପରି ନିରଞ୍ଜନଙ୍କ ପଦ ଚାଲିଯାଇଥିଲା ସେହିଭଳି ହେବା କିଛି ବି ଅସମ୍ଭବ ନୁହେଁ।

Leave a Reply

Your email address will not be published. Required fields are marked *