Thu. Jun 27th, 2019
278 views

ନବୀନଙ୍କ ବିକଳ୍ପ ନାହିଁ

ସେୟାର କରନ୍ତୁ:-

ଭୁବନେଶ୍ଵର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଓଡିଶାରେ କେହି ବିକଳ୍ପ ନାହିଁ । ୨୦୧୯ ନିର୍ବାଚନ ଫଳାଫଳ ପୁଣି ଥରେ ଏହା ପ୍ରମାଣିତ କରିଛି । ଆଉ ସ୍ପଷ୍ଟ ହୋଇଯାଇଛି ନବୀନ ହେବେ ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ । ଏହି ସୌଭାଗ୍ୟ ହାସଲ କରି ସେ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଖୁବଶୀଘ୍ର ଶପଥ ଗ୍ରହଣ ଉତ୍ସବ ହେବ ବୋଲି ମିଳିଛି ସୂଚନା ।

ଓଡିଶାରେ ସବୁ ଆକଳନ ଫେଲ୍ । ବିଜେଡ଼ି ସୁପ୍ରିମୋ ନବୀନଙ୍କ ଗୋଟି ଚାଳନାରେ ବିରୋଧୀ ଆଗକୁ ବଢିପାରି ନାହାନ୍ତି । ନିର୍ବାଚନ ହୋଇଥିବା ୧୪୬ ଟି ଆସନ ମଧ୍ୟରୁ ୧୧୨ଟି ବିଧାନସଭା କ୍ଷେତ୍ରରେ ବାଜିମାତ କରିଛି ବିଜେଡ଼ି । ୨୦୧୯ ନିର୍ବାଚନରେ ରାଜ୍ୟରେ ସରକାର ଗଠନ କରିବ ବୋଲି ବାହାସ୍ଫୋଟ ମାରୁଥିବା ବିଜେପି ନେତାଙ୍କ ସ୍ଵପ୍ନ ଭାଙ୍ଗିଯାଇଛି । ଏହି ଦଳକୁ ମିଳିଛି ମାତ୍ର ୨୩ଟି ବିଧାନସଭା କ୍ଷେତ୍ରରେ ସଫଳତା । ୮ଟି ଲୋକସଭା କ୍ଷେତ୍ରରେ ଏହି ଦଳର ପ୍ରାର୍ଥୀ ଜିତିଛନ୍ତି ।

ସେହିପରି ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସକୁ ଲାଗିଛି ବଡ ଝଟକା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨ଟି ସ୍ଥାନରୁ ହାରିଥିବା ବେଳେ ତାଙ୍କ ପୁତ୍ର ବାଲେଶ୍ଵର ଲୋକସଭା ଆସନରେ ଶୋଚନୀୟ ପରାସ୍ତ ହୋଇଛନ୍ତି । କେବଳ ଯେ ବାପ-ପୁଅ ହାରିଛନ୍ତି ତାହା ନୁହେଁ କଂଗ୍ରେସ ବିଧାନସଭା ନିର୍ବାଚନରେ ଦୁଇ ଅଙ୍କ ଛୁଇଁବା ସମ୍ଭବ ହୋଇନି । ମାତ୍ର ୯ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଜିତିଥିବା ବେଳେ ଗୋଟିଏ ଲୋକସଭା କ୍ଷେତ୍ର ଏହି ଦଳ ସପକ୍ଷରେ ଯାଇଛି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଗତ ୨୦୧୭ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା । ଦ୍ଵିତୀୟ ସ୍ଥାନକୁ ଉଠିଥିଲା ବିଜେପି । ଏହି ଧାରା ୨୦୧୯ ନିର୍ବାଚନରେ ବଜାୟ ରହିଛି । କଂଗ୍ରେସ ଆଉ ଉପରକୁ ଉଠିପାରି ନାହିଁ । ବିଜେପି ଦୁଇ ନମ୍ବର ସ୍ଥାନ ବଜାୟ ରଖି ବିଧାନସଭା ଓ ଲୋକସଭା ଆସନ ସଂଖ୍ୟା ବଢାଇବାରେ ସକ୍ଷମ ହୋଇଛି ।

ଏହାଛଡା ବିଜେଡ଼ିରୁ ବୈଜୟନ୍ତ ଓ ଦାମଙ୍କ ପରି ଯେଉଁମାନେ ତଡା ଖାଇଥିଲେ ସେମାନେ ଫେଲ୍ ମାରିଛନ୍ତି । ନବୀନଙ୍କ ବିରୋଧରେ କହିବା ଏହି ନେତାମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଲୋକେ ଏମାନଙ୍କୁ ପ୍ରତ୍ୟାଖାନ କରି ସୁଚାଇ ଦେଇଛନ୍ତି ଓଡିଶାରେ ନବୀନଙ୍କର କେହି ବିକଳ୍ପ ନାହିଁ । ସେ ହିଁ ଅଦ୍ଵିତୀୟ ନେତା । ଆଉ ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ମହଲରେ ଚାଲିଥିବା ଚର୍ଚ୍ଚାରେ କୁହାଯାଉଛି ଆଗକୁ ପାଟକୁରା ସମେତ ଯେଉଁ ଦୁଇଟି ସ୍ଥାନରେ ଉପ-ନିର୍ବାଚନ ହେବ ସେଠାରେ ଜନମତ ବିଜେଡ଼ି ସପକ୍ଷରେ ଯିବ ଏଥିରେ ସନ୍ଦେହ ନାହିଁ ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *