ପ୍ରେମିକ ଛୁରୀ ମାଡରେ ପ୍ରେମିକା ଆହତ

ନବରଗପୁର : ପ୍ରେମିକାକୁ ଛୁରୀ ଭୁଷି ପ୍ରେମିକ ଫେରାର। ଏହି ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ପ୍ରେମିକା ଲିପ୍ସା ନାୟକଙ୍କ ଘର ପୁରୀ। ପ୍ରେମିକ ରୋହିତ ସିଂ ବିହାରର ବୋଲି ଜଣାପଡିଛି। ଉମରକୋଟରେ ଏକ ଭଡାଘରେ ରହୁଥିବା ପୁରୀର ୫ ଯୁବତୀ ବିଭିନ୍ନ ଷ୍ଟେଜ ପ୍ରୋଗ୍ରାମରେ ନୃତ୍ୟ ପରିବେଷଣ କରୁଥିଲେ। ଯୁବତୀଙ୍କ ନୃତ୍ୟରେ ଦେଖି ପ୍ରେମରେ ପଡିଥିଲେ ରୋହିତ। ତାପରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଉଭୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ହଠାତ୍‌ ପ୍ରେମରେ ପୂର୍ଣ୍ଣଛେଦ ପଡିଲା।

ଘଟଣା ଦିନ ରୋହିତ ପାଚେରି ଡେଇଁ ଲିପ୍ସା ରହୁଥିବା ଘରକୁ ଯାଇଥିଲେ। ଫୋନ୍‌ କରି ବାହାରକୁ ଡାକିବାରୁ ଲିପ୍ସା ବାହାରକୁ ଆସିଥିଲେ। ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହେବାରୁ ରୋହନ ଆଣିଥିବା ଛୁରୀରେ ଲିପ୍ସାଙ୍କ ଶରୀରକୁ ଆଘାତ କରିଥିଲେ। ଛୁରୀ ମାଡ଼ରେ ଜଙ୍ଘ, ଛାତି ଓ ବାମ ହାତରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button