ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ ସଂଶୋଧନ ପ୍ରସ୍ତାବ, ତର୍ଜମା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିଶ

ଖବର ଅନୁଯାୟୀ ବିଧାନସଭାରେ ମନ୍ତ୍ରୀଙ୍କ ଘୋଷଣାରୁ ବିଶ୍ୱାସ କରାଯାଉଛି ନଭେମ୍ବର ୧୪ ତାରିଖର ଏସଂକ୍ରାନ୍ତ କ୍ୟାବିନେଟ୍‌ ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି। ହେଲେ ପ୍ରତ୍ୟାହୃତ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି। ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୧୪ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରେଗୁଲେସନ-୨,୧୯୫୬ର ସଂଶୋଧନ ପ୍ରସ୍ତାବ (ଆଦିବାସୀଙ୍କ ଜମିକୁ କିଣିପାରିବେ ଅଣଆଦିବାସୀ)କୁ ମଞ୍ଜୁରୀ ମିଳିଥିଲା। ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ପ୍ରସ୍ତାବରେ ଉଲ୍ଲେଖ ଥିଲା। ମାତ୍ର କ୍ୟାବିନେଟ ଏହି ନିଷ୍ପତ୍ତିକୁ ନେଇ ଉଠିଥିଲା ବିବାଦ।

ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି କରାଯାଇପାରିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବିଜେପି ଦାବି କରିଥିଲା। କେବଳ ଜମି ମାଫିଆ ଓ ଠିକାଦାରଙ୍କ ହାତରେ ଗରିବ ଆଦିବାସୀଙ୍କ ଜମିକୁ ଟେକି ଦେବାକୁ ରାଜ୍ୟ ସରକାର ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା। ସରକାର ଆଦିବାସୀବିରୋଧୀ ମନୋଭାବ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ସବୁ ଆଦିବାସୀ ସମାଜକୁ ସାଙ୍ଗରେ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ବିଜେପି ଚେତାବନୀ ଦେଇଥିଲା।ସେହିପରି କଂଗ୍ରେସ ମଧ୍ୟ କ୍ୟାବିନେଟର ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଥିଲା। ଆଦିବାସୀମାନଙ୍କ ଜମିକୁ ଲୁଟ୍ ପାଇଁ ଏଭଳି ସରକାରୀ ଷଡ଼ଯନ୍ତ୍ର ହୋଇଛି ବୋଲି ଅଭିଯୋଗ କରିଥିଲେ।

ନଭେମ୍ବର ୧୪ କ୍ୟାବିନେଟ୍ ନିଷ୍ପତ୍ତିକୁ ୧୬ ତାରିଖରେ ସ୍ଥଗିତ ରଖାଗଲା ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୋସିଆଲ ମିଡିଆରେ ଘୋଷଣା କଲେ। ବିରୋଧୀ କହିଲେ କ୍ୟାବିନେଟ୍‌ ନିଷ୍ପତ୍ତିକୁ ଜଣେ ମନ୍ତ୍ରୀ ବା ବିଭାଗୀୟ ସଚିବ ସ୍ଥଗିତ କରିପାରିବେ ନାହିଁ। ଶେଷରେ ନଭେମ୍ବର ୨୪ ତାରିଖ ସକାଳେ କ୍ୟାବିନେଟ୍‌ ବୈଠକ ବସି ୧୪ ତାରିଖର କ୍ୟାବିନେଟ୍‌ ନିଷ୍ପତ୍ତି ରଦ୍ଦ କରିବା ସହିତ ଏହି ଅଧିନିୟମରେ ପୁନର୍ବାର ସଂଶୋଧନ ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଆଦିବାସୀ ଜମି ବିକ୍ରି ପ୍ରସଙ୍ଗକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠେଇବାର ଆବଶ୍ୟକତା ନଥିଲା। କ୍ୟାବିନେଟ ଚାହିଁଥିଲେ ସେହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିପାରିଥାନ୍ତା। ଯେହେତୁ ଆଜି ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆସିଥିଲା ତେଣୁ ତରବରିଆ ଭାବେ ପୁନର୍ବିଚାର କରିବାକୁ ରାଜ୍ୟ ସରକାର କହିଛନ୍ତି। ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇ ସ୍ଥିତିକୁ ଗୋଳମାଳିଆ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button