ଫ୍ଲାଇଙ୍ଗ ପାସେଞ୍ଜର ସିପ୍ ସର୍ଭିସ୍ ୨୦୨୪ରୁ ଆରମ୍ଭ ହେବ

ସ୍ୱିଡେନ୍‌ରେ ବିଶ୍ୱର ପ୍ରଥମ ବୈଦ୍ୟୁତିକ ଉଡ଼ନ୍ତା ଯାତ୍ରୀବାହୀ ଜାହାଜର ପରୀକ୍ଷଣ ଶେଷ ହୋଇଛି। ଆସନ୍ତା ବର୍ଷ ସାର୍ବଜନୀନ ସେବା ପ୍ରଦାନ କରିବାକୁ ଷ୍ଟକ୍‌ହୋମ୍‌ର ଯାତାୟାତ ବିଭାଗ ଏହି ଜାହାଜକୁ ଅନୁମତି ଦେଇଛି।

ଖବର ଅନୁଯାୟୀ ଜଳଯାତ୍ରାରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଥିବା ଯାତ୍ରୀବାହୀ ଜାହାଜର ନାମ କ୍ୟାଣ୍ଡେଲା ପି-୧୨। ସ୍ୱିଡେନ୍‌ର କମ୍ପାନି କ୍ୟାଣ୍ଡେଲା ଟେକ୍ନୋଲୋଜି ଏହାକୁ ନିର୍ମାଣ କରିଛି। ଜାହାଜର ଲମ୍ବ ପ୍ରାୟ ୩୯ ଫୁଟ। ଘଣ୍ଟାପ୍ରତି ୨୫୨ କିଲୋୱାଟ୍‌ ଶକ୍ତି ପ୍ରଦାନକାରୀ ବ୍ୟାଟେରୀ ଦ୍ୱାରା ଏହା ପରିଚାଳିତ। ଏଥିରେ ସର୍ବାଧିକ ୩୦ ଜଣ ଯାତ୍ରା କରିପାରିବେ। ସେହିପରି ଏଲନ ମସ୍କଙ୍କ କମ୍ପାନି ଟେସ୍‌ଲାର ବୈଦ୍ୟୁତିକ କାର୍‌ ଆସନ୍ତା ବର୍ଷ ବଜାର ପ୍ରବେଶ କରିବାକୁ ଯାଉଛି। ଘଣ୍ଟାପ୍ରତି ୭୫ କିଲୋୱାଟ୍‌ ଶକ୍ତି ଦ୍ୱାରା ପରିଚାଳିତ ହେବ। ଏହି କାର୍‌ ପାଣି ଉପରେ ୪୬ କିମି ବେଗରେ ଯାତ୍ରା କରିବ। ଘଣ୍ଟାପ୍ରତି ଏହାର ସର୍ବାଧିକ ବେଗ ରହିଛି ୫୬ କିମି। ଥରେ ଚାର୍ଜ ହେଲେ ୯୨.୬ କିମି ଯାତ୍ରା କରିବ।

କ୍ୟାଣ୍ଡେଲାର ସିଇଓ ଗୁସ୍ତାଭ ହାସେଲ୍ସକୋଗ କହିଛନ୍ତି ଜଳଯାତ୍ରା କ୍ଷେତ୍ରରେ ଏହା ନୂଆ ପରିବର୍ତ୍ତନ ଆଣିବ। ହାଇଡ୍ରୋଫଏଲ୍‌ ସାହାଯ୍ୟରେ ଯାତ୍ରୀ ଜାହାଜରେ ପାଣି ଉପରେ ଉଡ଼ିବେ। ଏହି ପ୍ରଣାଳୀ ଜାହାଜକୁ ପାଣି ଉପରକୁ ଉଠାଇବା ସହିତ ବିମାନରେ ସଂଲଗ୍ନ ଏୟାରଫଏଲ୍‌ ଭଳି ଏହା କାମ କରେ। ହାଇଡ୍ରୋଫଏଲ୍‌ ପାଣିରେ ଯାତ୍ରା ସମୟରେ ବିପରୀତ ଦିଗର ମାଧ୍ୟାକର୍ଷଣକୁ ନଷ୍ଟ କରିଦିଏ। ଯାହାଦ୍ୱାରା ଜାହାଜର ଗତି ଅଧିକ ବଢ଼ିବା ସହ ଉର୍ଜ୍ଜା କମ୍‌ ଖର୍ଚ୍ଚ ହୁଏ। ପାରମ୍ପରିକ ଡଙ୍ଗା ତୁଳନାରେ କମ୍‌ ଖର୍ଚ୍ଚରେ ମିଳେ ଯାତ୍ରା ସୁବିଧା। ପି-୧୨ରେ କମ୍ପ୍ୟୁଟର ଗାଇଡେଡ୍‌ ହାଇଡ୍ରୋଫଏଲ୍‌ ଲାଗିଛି। କ୍ୟାଣ୍ଡେଲା ଯେତେବେଳେ ଘଣ୍ଟାପ୍ରତି ୩୩ କିମି ବେଗରେ ଗତି କରେ କମ୍ପ୍ୟୁଟର ଗାଇଡେଡ୍‌ ହାଇଡ୍ରୋଫଏଲ୍‌ ସାହାଯ୍ୟରେ ତାହା ସାଧାରଣ ବୈଦ୍ୟୁତିକ ଡଙ୍ଗା ତୁଳନାରେ ୮୦ ପ୍ରତିଶତ କମ୍‌ ଉର୍ଜ୍ଜା ଆବଶ୍ୟକ କରେ। ନିଜର ଡଙ୍ଗାଗୁଡ଼ିକ ପାଇଁ କ୍ୟାଣ୍ଡେଲା ଇଞ୍ଜିନ୍‌ ନିର୍ମାଣ କରେ। ଗୋଟିଏ ଇଞ୍ଜିନ୍‌ ସର୍ବାଧିକ ୩୪୦ କିଲୋୱାଟ୍‌ ଉର୍ଜ୍ଜା ଉତ୍ପନ୍ନ କରେ। ଫଳରେ ଡଙ୍ଗା ହାଇଡ୍ରୋଫଏଲ୍‌ସ ଲହଡ଼ି, ପବନ, ପାଣି ଓ ଆଭ୍ୟନ୍ତରୀଣ କରେଣ୍ଟ୍‌କୁ କାଟି ଆଗକୁ ବଢ଼େ।

ଗୁସ୍ତାଭ କହିଛନ୍ତି ଭବିଷ୍ୟତରେ କମ୍ପାନି ନୂଆ ବିଳାସପୂର୍ଣ୍ଣ ଜାହାଜ ନିର୍ମାଣ କରିବ। ନାଁ ରହିବ କ୍ୟାଣ୍ଡେଲା ଭୟଜର। କମ୍ପାନି ଏବେ କ୍ୟାଣ୍ଡେଲା ଜାହାଜର ବେଗ ବଢ଼ାଇବାକୁ ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଏହା ଟିକେ ମାଇଲ ମାର୍ଗରେ ଚାଲିବ। ଏକେରୋ ସବର୍ବ ଓ ଷ୍ଟକ୍‌ହୋମ୍‌ ସିଟି ସେଣ୍ଟର୍‌ ମଧ୍ୟରେ ଥିବା ଏହି ମାର୍ଗର ଯାତ୍ରାରେ ପୂର୍ବରୁ ୫୫ ମିନିଟ୍‌ ସମୟ ଲାଗୁଥିଲା। କିନ୍ତୁ କ୍ୟାଣ୍ଡେଲା ପି-୧୨ରେ ମାତ୍ର ୨୫ ମିନିଟ୍‌ ଲାଗିବ।

Leave a Reply

Your email address will not be published. Required fields are marked *

Back to top button