ପ୍ରେମିକାକୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତିଦେଲେ ବିବାହିତ ପ୍ରେମିକ

ରାଇଘର : ବିବାହିତ ପ୍ରେମିକକୁ ପତ୍ନୀର ଅଧିକାର ମାଗିବାରୁ ଜୀବନ ଗଲା। ୩୧ ଖଣ୍ଡ କରି ଜଙ୍ଗଲରେ ପୋତିଦେଲେ ପ୍ରେମିକ ଓ ତାଙ୍କ ପତ୍ନୀ। ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।

ଖବର ଅନୁଯାୟୀ ରାଇଘର ଥାନା ବାଘବେଡ଼ା ଗ୍ରାମର ଲୁବୁରାମ ଗଣ୍ଡଙ୍କ ଝିଅ ତିଲବତୀ ଦୁଇବର୍ଷ ହେଲା ମୁରୁମଡ଼ିହି ଗାଁ’ର ଚନ୍ଦ୍ର ରାଉତଙ୍କୁ ଭଲ ପାଉଥିଲେ। ପତ୍ନୀ ଓ ୫ ପିଲା ଥାଇ ମଧ୍ୟ ଚନ୍ଦ୍ର ଭଲ ପାଉଥିଲେ ତିଲବତୀଙ୍କୁ। ଦୁହିଁଙ୍କର ଏଇ ପ୍ରେମ ସମ୍ପର୍କରେ ତିଲବତୀଙ୍କ ବାପା ଲୁବୁ ଗଣ୍ଡ ଜାଣିପାରିନଥିଲେ। ଗତ ବୁଧବାର ସନ୍ଧ୍ୟାରେ ତିଲବତୀ କାହାକୁ କିଛି ନକହି ଘରୁ ବାହାରି ଆସି ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ପତ୍ତା ମିଳିନଥିଲା। ପରିବାର ଲୋକେ ତିଲବତୀ ମୁରୁମଡିହି ଗାଁର ଚନ୍ଦ୍ରଙ୍କୁ ପ୍ରେମ କରୁଥିବା ଜାଣିବାକୁ ପାଇଲା ପରେ ଚନ୍ଦ୍ରଙ୍କ ଗାଁକୁ ଯାଇ ପଚାରିଥିଲେ। ମାତ୍ର ସେ ଧରାଛୁଆଁ ଦେଇନଥିଲେ। ଗାଁ ଲୋକ କହିଲେ ତିଲବତୀଙ୍କୁ ହତ୍ୟା କରାଯାଇଛି। ତେଣୁ ଲୁବୁ ଗଣ୍ଡଙ୍କ ପରିବାର ଲୋକେ ରାଇଘର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ଥାନାକୁ ଆଣି ଜେରା କରିଥିଲା। ଆଉ ଜଣାପଡିଥିଲା ସେମାନେ ତିଲବତୀଙ୍କୁ ହତ୍ୟା କରିଛନ୍ତି। ସେମାନେ ତିଲବତୀଙ୍କୁ ମାରିବା ପାଇଁ ମୁରୁମଡିହି ଗ୍ରାମ୍ୟ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଶରୀରକୁ ଚପଡରେ ହାଣି ୩୧ ଖଣ୍ଡ କରି ଗାତ ଖୋଳି ପୋତିଦେବା ସହିତ ଡ୍ରେସ୍‌କୁ ପୋଡ଼ି ଦେଇଥିଲେ। ଅଭିଯୁକ୍ତଙ୍କ ବୟାନ୍ ଆଧାରରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଜଙ୍ଗଲରୁ ତିଲବତୀଙ୍କ ମୃତଦେହ ଜବତ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହିଥିବା ବେଳେ ଲୋକେ କହୁଛନ୍ତି ପତ୍ନୀର ଅଧିକାର ମାଗିବାରୁ ଝିଅଟିର ଜୀବନ ଗଲା।

Leave a Reply

Your email address will not be published. Required fields are marked *

Back to top button