ଦଳିତ ଯୁବକଙ୍କୁ ଜୋତା ଚଟାଇଥିବା ମହିଳା ବ୍ୟବସାୟୀଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଦଲିତ କର୍ମଚାରୀ ନୀଳେଶ ଦଲସାନିଆଙ୍କୁ ଜୋତାଚଟାଇବା ଅଭିଯୋଗରେ ଗୁଜୁରାଟ ମୋର୍ବି ସହରର ମହିଳା ବ୍ୟବସାୟୀ ବିଭୂତି ପଟେଲ ଓରଫ ରାଣୀବାଙ୍କ ନାଁରେ ପୋଲିସ ରୁଜୁ କରିଛି। ହେଲେ ବିଭୂତି ଏବେ ଫେରାର ଥିବା ବେଳେ ତାଙ୍କର ବିବାଦୀୟ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଭୂତିଙ୍କୁ ଲେଡ଼ି ଡନ ଭାବେ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଖବର ଅନୁଯାୟୀ ଭାଇରାଲ ଭିଡିଓରେ ବିଭୂତି ଖଣ୍ଡା ଧରି ୬ଟି କେକ କାଟୁଥିବା ଦେଖିବାକୁ ମିଳୁଛି। ଅନ୍ୟ ଏକ ଭିଡିଓରେ ବନ୍ଧୁକ ଧରିଥିବା ଦେଖାଯାଇଛି। କେବଳ ସେତିକି ନୁହେଁ ଦାମି ପୋଷାକ ପିନ୍ଧନ୍ତିଓ ଗାଡ଼ି ଚଢ଼ନ୍ତି। ଯେଉଁ ପୋଷାକ ଥରେ ପିନ୍ଧନ୍ତି ତା’କୁ ଆଉ ପିନ୍ଧନ୍ତି ନାହିଁ। ଏମିତି ଜୀବନଶୈଳୀ ବଞ୍ଚୁଥିବା ବିଭୂତି ସାମାନ୍ୟ ୧୨ହଜାର ଟଙ୍କା ପାଇଁ ଦଳିତ କର୍ମଚାରୀଙ୍କ ସହିତ କରିଥିବା କାମକୁ ତୀବ୍ର ନିନ୍ଦା କରାଯାଉଛି।

ଦଳିତ ଯୁବକ ନୀଳେଶ କହିଛନ୍ତି ରଣୀବା ଇଣ୍ଡଷ୍ଟ୍ରିଜର ଏକ୍ସ‌ପୋର୍ଟର ମାର୍କେଟିଂ ବିଭାଗରେ ମୁଁ ସେଲ୍ସ ମ୍ୟାନେଜର ଭାବେ ଅକ୍ଟୋବର ୨ ତାରିଖରେ ଚାକିରି କରିବା ଆରମ୍ଭ କରିଥିଲି। ଏହି ସମୟରେ କମ୍ପାନି ମୋତେ ୧୨,୦୦୦ଟଙ୍କା ଦରମା ଦେବାକୁ କହିଥିଲା। କିନ୍ତୁ ଅକ୍ଟୋବର ୧୮ ତାରିଖରେ ମୋତେ ଚାକିରିରୁ ବାହାର କରି ଦେଇଥିଲା। ଏହାପରେ ମୁଁ ପାରିଶ୍ରମିକ ପାଇଁ କମ୍ପାନିକୁ ଯାଇଥିଲି। କିନ୍ତୁ ବିଭୂତିଙ୍କ ଲୋକଙ୍କ ସହ ମିଶି ମୋତେ ନିସ୍ତୁକ ମାଡ଼ ମାରିଥିଲେ। ମୋ ମୁହଁରେ ‌ଜୋତାମାଡ଼ କରି ସେମାନଙ୍କ ଚୋତା ଚାଟିବାକୁ କହିବା ସହିତ କ୍ଷମା ମାଗିବାକୁ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button