ଡିସେମ୍ବର ପହିଲାରେ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା

ଭୁବନେଶ୍ୱର : ଆସନ୍ତା ୧ ତାରିଖ ଦିନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂଗ୍ରହ କରାଯାଇଥିବା ତୁଳସୀ ଓ ସଜ ତୁଳସୀ ଧରି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ଅଭିମୁଖେ ତୁଳସୀ ଯାତ୍ରା କରାଯିବ।

ଖବର ଅନୁଯାୟୀ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କରାଯାଇଛି ସାମ୍ବାଦିକ ସମ୍ମିଳନୀ। ଏଥିରେ ନେତୃବର୍ଗ ମାନେ କହିଛନ୍ତି ପୁରୀ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ରତ୍ନର ଗଣତି, ମଣତି ଓ ରତ୍ନ ଭଣ୍ଡାରର ମରାମତି, ବେଦାନ୍ତ ଅଧିକୃତ ଅମୃତମଣୋହୀ ଜମି ଓ ଚାଷୀଙ୍କ ଜମିକୁ ଫେରସ୍ତ କରିବା, ଭୂମିହୀନ ସେବାୟତଙ୍କୁ ଭୂମି ଦେବା ସମେତ ସମୁଦାୟ ୬ ଗୋଟି ଦାବିକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କର ଆହ୍ୱାନକ୍ରମେ ଦୁଇ ଦୁଇଟି ଆନ୍ଦୋଳନ ହୋଇଥିଲା । କଂଗ୍ରେସ ଦଳର ବାରମ୍ବାର ଚେତାବନୀ ସତ୍ୱେ ନବୀନ ସରକାର ଦାବି ପୂରଣ ପ୍ରତି କର୍ଣ୍ଣପାତ ନକରି ନିଜ ଅହଂକାରରେ ଅଟଳ ରହିଛନ୍ତି। ଏହା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କର ଭାବାବେଗ ପ୍ରତି ଆଘାତ ଆଣିଛି।

ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ମୁଖ୍ୟ ମୁଖପାତ୍ର ଜୟଶ୍ରୀ ପାତ୍ର, ପିସିସି ସାଧାରଣ ଚିନ୍ମୟ ସୁନ୍ଦର ଦାସ, ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଶୋକ ଦାସ ଉଦ୍‌ବୋଧନ ଦେଇ ଆଗାମୀ ତୁଳସୀ ଯାତ୍ରା ସମ୍ପର୍କରେ କହିଥିଲେ । ସେମାନେ କହିଥିଲେ ଚାରିଦ୍ୱାର ଖୋଲିବା ନେଇ କଂଗ୍ରେସ ଦଳ ଦୀର୍ଘଦିନ ଧରି ଦାବି କରି ଆସୁଛି। କିନ୍ତୁ ଶ୍ରୀମନ୍ଦିର
ଚାରିଦ୍ୱାର ନଖୋଲିବା ହେତୁ ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଂଟା ଘଂଟା ଧରି ଲାଇନରେ ରହି କେତେକ ଭକ୍ତ ବେହୋସ ହୋଇଯାଉଥିବା ବେଳେ କେତେକ ଭକ୍ତ ମୁୃତ୍ୟବରଣ କରିବା ଦେଖାଯାଉଛି। ଚାରିଦ୍ୱାର ଖୋଲିବାର ତୁରନ୍ତ ବ୍ୟବସ୍ଥା ନକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟସାଧିକ ଭକ୍ତଙ୍କୁ ଜଗନ୍ନାଥଙ୍କ ଦର୍ଶନ କରିବାପାଇଁ ନ ଆସିବାକୁ ପରାମର୍ଶ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିରୁ ଜଣାପଡ଼ୁଛି ଭଗବାନ ଓ ଭକ୍ତଙ୍କ ମଧ୍ୟରେ ପାଚେରି ସାଜିଛନ୍ତି ସରକାର।

ସେହିପରି ରତ୍ନଭଣ୍ଡାର ନ ଖୋଲିବା ନେଇ ଭକ୍ତମନରେ ବିଭିନ୍ନ ପ୍ରକାର ସନ୍ଦେହ ଜାତ ହେଉଛି ଏବଂ ଅନ୍ୟ ଦାବି ପ୍ରତି ସରକାର ଉଦାସୀନ ମନୋଭାବ ଦେଖାଉଛନ୍ତି।ଯେହେତୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ୬ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ସେହି କ୍ରମରେ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରାଯିବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ବିଶ୍ୱଜିତ ଦାଶଙ୍କ ତତ୍ୱାବଧାନରେ ଭୁବନେଶ୍ୱରର ସମସ୍ତ ୱାର୍ଡରୁ ଆରମ୍ଭ କରି ପଞ୍ଚାୟତ, ଛକ ବଜାରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଛାତ୍ରଛାତ୍ରୀ, ମା ମାଉସୀ, ଭାଇ ଭଉଣୀଙ୍କ ଠାରୁ ତୁଳସୀ ସଂଗ୍ରହ ଜାରି ରହିଛି। ତୁଳସୀ ସଂଗ୍ରହରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ୱାର୍ଡ ସଭାପତି, ବ୍ଲକ ସଭାପତି ଓ କର୍ମକର୍ତ୍ତା ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button