ଜଳ ପ୍ରକଳ୍ପ ଅଚଳ, ଦୁର୍ଦ୍ଦିନରେ ଗ୍ରାମବାସୀ

ହିଞ୍ଜିଳୀକାଟୁ : ହିଞ୍ଜିଳୀକାଟୁ ଓ ଏହାର ଆଖପାଖ ଅଞ୍ଚଳରେ ଏବେଠାରୁ ତାତି ବଢି ଅସଲ୍ୟ ହେଲାଣି । ସ୍ଥାନୀୟ ଅଞ୍ଚଳରେ ପାରଦ ପାଖାପାଖି ୪୦ଡିଗ୍ରୀ ସେଲସିୟସ ଛୁଇଁଛି । ଆଗକୁ ତାତି ଆହୁରି ବଢିବା ସମ୍ଭାବନା ଥିବାରୁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହେବା ଆଶଙ୍କା ରହିଛି । ଉତ୍ତାପ ବୃଦ୍ଧି ସହ ଗ୍ରାମାଞ୍ଚଳଗୁଡିକରେ ପିଇବା ପାଣିର ଘୋର ଅଭାବ ଦେଖାଦେଇଛି । ପିଇବା ପାଣି ମୁନ୍ଦାଏ ପାଇଁ ଗ୍ରାମାଞ୍ଚଳର ଜନସାଧାରଣ ନାହିଂ ନଥିବା ଅସୁବିଧାର ସମ୍ମୁଖୀନ ହେଲେଣି । ଗ୍ରାମାଞ୍ଚଳରେ ବାସ କରୁଥିବା ସାଧାରଣ ଲୋକଙ୍କ ପାନୀୟ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ପଞ୍ଚାୟତର ପ୍ରତି ଗାଁରେ ଗୋଟିଏ ଲେଖାଏଁ ଜଳପ୍ରକଳ୍ପ ନିର୍ମାଣ କରିଥିଲେ । କିନ୍ତୁ ତାହା କେଉଁଠି ଆଉ କିଭଳି ସ୍ଥିତିରେ କାର୍ଯ୍ୟକାରୀ ହେଉଛି ତାହା ବୁଝିବାକୁ ପ୍ରଶାସନର ନିଘା ନାହିଁ । ଏଣୁ ଗ୍ରାମରେ ପିଇବା ପାଣିର ସମସ୍ୟା ସାଙ୍ଗାତିକ ରୂପ ନେଲାଣି । ପାନୀୟ ଜଳର ଉତ୍କଟ ସମସ୍ୟା ପ୍ରତି ଗ୍ରାମବାସୀ ବାରମ୍ବାର ନିବେଦନ ଓ ଅଭିଯୋଗ କରୁଥିଲେ ସୁଦ୍ଧା ପ୍ରଶାସନ ତତ୍ପରତା ପ୍ରକାଶ ନକରି ବରଂ ନୀରବ ରହୁଛି ବୋଲି ଅଭିଯୋଗ ହେଉଛି । ସାଧାରଣ ଲୋକଙ୍କ ଏହି ଅତ୍ୟାବଶ୍ୟକ ସେବା ପ୍ରତି ପ୍ରଶାସନ ଅନୁଶୀଳ ହେବା ପରିବର୍ତ୍ତେ କେବଳ ପ୍ରତିଶ୍ରୁତି ଦେଇ ଚୁପ ବସିଛି । ପିଇବା ପାଣି ମୁନ୍ଦାଏ ପାଇଁ ଗ୍ରାମବାସୀ ଡହଳବିକଳ ହେବା ସହ ସେମାନଙ୍କ ଦୁଖଯାତନା ଦିଗୁଣିତ ବୃଦ୍ଧି ପାଇଛି । ଆଉ ପରିସ୍ଥିତି ଗମ୍ଭୀରତା ଆଡକୁ ଗତିକରି ଚିନ୍ତାଜନକ ପରିବେଶ ସୃଷ୍ଟିହୋଇଛି । ଦୀର୍ଘ ୫ ବର୍ଷ ଧରି ଗ୍ରାମରେ ଏଭଳି ଅଚଳାବସ୍ତା ଦେଖା ଦେଇଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି କେବଳ ପ୍ରତାରଣା ସଦୃଶ୍ୟ ହୋଇଛି ବୋଲି ଗ୍ରାମବାସୀଙ୍କ ସମ୍ବେଦନଶୀଳ ଅଭିଯୋଗରୁ ଜଣାପଡିଛି । ଏଭଳି ଘଟଣା ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳୀ ବ୍ଲକ ଶାସନ ଆମ୍ବଗାଁ ପଞ୍ଚାୟତର ବାଦୀଆମ୍ବଗାଁ ଗ୍ରାମରେ ଦେଖାଦେଇଛି । ସୂଚନା ଅନୁଯାୟୀ ବାଦୀଆମ୍ବଗାଁରେ ଥିବା ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜଳପ୍ରକଳ୍ପଟି ସମ୍ପୂର୍ଣ ଅଚଳ ହୋଇ ପଡି ରହିଛି । ପ୍ରକଳ୍ପର ଚତୁର୍ପାର୍ଶ୍ବରେ ରକ୍ଷଣବେକ୍ଷଣର ଘୋର ଅଭାବରୁ ଲତା ବୁଦାରେ ପରିପୂର୍ଣ ହୋଇ ଜଙ୍ଗଲ ସୃଷ୍ଟି ହୋଇଛି । ପ୍ରକଳ୍ପର ସ୍ଥିତି ଶୋଚୋନୀୟ ହୋଇପଡିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପାଦ ପଡୁନଥିବା ଜଣାଯାଇଛି । ତେଣୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଂ । ଏଥିପ୍ରତି ଆଶୁ ସମାଧାନ ମଧ୍ୟ ହୋଇପାରୁନାହିଂ । ଗ୍ରାମରେ ଥିବା ପ୍ରାୟ ୧୨ଟି ନଳକୂପ ବ୍ୟବହାର ଉପଯୋଗୀ ନହୋଇ ପଡିରହିଛି । ଏଗୁଡିକ ସଜଡା ମଧ୍ୟ ହୋଇପାରୁନାହିଂ । କେବଳ ୪ଟି ନଳକୂପ ଓ କୂପରୁ ଲବଣାକ୍ତ ଜଳ ପିଇବା ପାଇଁ ବାଧ୍ୟ ହେଉଥିବା ଗ୍ରାମବାସୀଙ୍କ ଠାରୁ ଜଣାପଡିଛି । ଗ୍ରାମର ପ୍ରାୟ ୩୦୦୦ଜନସାଧାରଣ ପାଣି ମୁନ୍ଦାଏ ପାଇଁ ଦୁଖ ଦୁର୍ଦିନରେ କାଳକାଟୁଥିବା ଜଣାପଡିଛି । ଦୂଷିତ ଜଳ ସେବନ କରି ଜନସାଧାରଣ ନାନାରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଏଥିପ୍ରତି କିନ୍ତୁ ସ୍ଥାୟୀ ପ୍ରତିକାର କରାଯାଇନଥିବା ଜଣାପଡିଛି । ଏପରି ସ୍ଥଳେ କେବଳ ଠିକାଦାର ଓ ଯନ୍ତ୍ରୀଙ୍କ ପୋଷିବା ପାଇଁ ସରକାର ଏଭଳି କାର୍ଯ୍ୟ କରୁଥିବା ନେଇ ସାଧାରଣରେ କଡା ସମାଲୋଚନା ହେଉଛି । ଏଣୁ ଜଳ ପ୍ରକଳ୍ପର ଅଚଳାବସ୍ଥା ପ୍ରତି ପଦକ୍ଷେପ ଗ୍ରହଣ କରି ପାନୀୟ ଜଳର ସୁବନ୍ଦୋବସ୍ତ କରିବା ସକାଶେ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *