ସ୍ୟାମସଙ୍ଗ ସ୍ଥାପନ କଲା ବିଶ୍ୱର ସବୁଠାରୁ ବଡ ମୋବାଇଲ ଫ୍ୟାକ୍ଟ୍ରି

ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜେ ଇନ ନୋଏଡାର ସେକ୍ଟର ୮୧ରେ ଦୁନିଆର ସବୁଠୁ ବଡ଼ ମୋବାଇଲ ଫ୍ୟାକ୍ଟ୍ରିର ଉଦଘାଟନ କରିଛନ୍ତି। ସାମସଙ୍ଗ କମ୍ପାନୀ ନୋଏଡାରେ ନିଜର ମ୍ୟାନୁଫ୍ୟାକଚରିଂ ୟୁନିଟର ବିସ୍ତାର କରୁଛି। ଏଥିପାଇଁ କମ୍ପାନୀ ୪୯୧୫ କୋଟି ନିବେଶ କରୁଛି। ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଆୟୋଜନ ଭାରତର ଜନତାଙ୍କୁ ସଶକ୍ତୀକରଣ କରାଇବା ସହିତ ମେକ୍ ଇନ ଇଣ୍ଡିଆକୁ ଗତିଶୀଳ କରାଇବ।

ଭାରତରେ ନିର୍ମିତ ମୋବାଇଲକୁ ସାରା ଦୁନିଆରେ ରପ୍ତାନୀ କରିବା ପାଇଁ ସାମସଙ୍ଗ ‘ମେକ ଫର ଦ ଓ୍ଵାର୍ଲ୍ଡ’ ଲଞ୍ଚ ମଧ୍ୟ କରିଛି। ଏହି ୟୁନିଟର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମେତ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ଉପସ୍ଥିତ ଥିଲେ। ଏହି ୟୁନିଟ୍ ଜରିଆରେ ମୋବାଇଲ ଉତ୍ପାଦନ ଦୁଇ ଗୁଣ କରାଯିବା ଉପରେ ବିଚାର କରାଯାଉଛି। ଏବେ ସାମସଙ୍ଗ ଦେଶରେ ପ୍ରାୟ ୭ କୋଟି ସ୍ମାର୍ଟଫୋନ ନିର୍ମାଣ କରୁଛି ଯାହା ୨୦୨୦ ପର୍ୟ୍ୟନ୍ତ ୧୨ କୋଟି ହୋଇପାରେ।

ସାମସଙ୍ଗ ଭାରତରେ ୨୦୦୭ରୁ ମୋବାଇଲ ନିର୍ମାଣ କରି ଆସୁଛି। ସାମସଙ୍ଗ ଇଣ୍ଡିଆର ମୁଖ୍ୟ ପରିଚାଳକ ଅଧିକାରୀ ଏଚସି ହଙ୍ଗ କହିଛନ୍ତି ଯେ ନୋଏଡାରେ ମଧ୍ୟ ଫ୍ୟାକ୍ଟ୍ରିଦୁନିଆର ସବୁଠୁ ବଡ଼ ଫ୍ୟାକ୍ଟ୍ରି ହେବ। ଏହା ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆର ସଫଳତାର ଏକ ଉଦାହରଣ ବୋଲି ହଙ୍ଗ କହିଛନ୍ତି। ଆମେ ସାରା ଦୁନିଆରେ ମୋବାଇଲ ରପ୍ତାନୀ ପାଇଁ ହବ ନିର୍ମାଣ କରୁଛୁ।

ପ୍ରାରମ୍ଭରେ ମୋବାଇଲ ଫୋନ୍ ନିର୍ମାଣ ହେବ ଏବଂ ଦ୍ଵିତୀୟ ପର୍ୟ୍ୟାୟରେ ଫ୍ଲାଟ୍ ପ୍ୟାନେଲ୍ ଟେଲିଭିଜନ ଓ ରେଫ୍ରିଜେରେଟର ନିର୍ମାଣ କରିବାର ଯୋଜନା ରହିଛି। ୨୦୧୬ ଅକ୍ଟୋବରରେ ନୋଏଡା ଅଥରିଟି କମ୍ପାନୀକୁ ପ୍ରାୟ ୨୫ ଏକର ଜମି ଆବଣ୍ଟନ କରିଥିଲେ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ନୋଏଡା ଅଥରିଟିର ସହଯୋଗରେ କମ ସମୟ ମଧ୍ୟରେ ଏତେ ବଡ଼ ୟୁନିଟ୍ ପ୍ରସ୍ତୁତ ହୋଇ ଯାଇଛି। ଅଥରିଟିର ଅଧିକାରୀ ମଧ୍ୟ କମ୍ପାନୀକୁ ସବୁ ପ୍ରକାର ଏନଓସି ଦେବାରେ ମଧ୍ୟ ସବୁ ପ୍ରକାର ସହଯୋଗ କରିଛନ୍ତି।

ବିଦେଶୀ କମ୍ପାନୀର ହବ ନିର୍ମାଣ ପାଇଁ ନୋଏଡା ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତାରେ ରହିଛି। ଉଲ୍ଲେଖଯୋଗ୍ୟ ଇନଭେଷ୍ଟର ମିଟ୍ ସମୟରେ ଜିଲ୍ଲାରେ ପ୍ରାୟ ୩୫ ହଜାର କୋଟିର ନିବେଶ ପାଇଁ ଦେଶ-ବିଦେଶର ବଡ଼ କମ୍ପାନୀ ସହିତ ଏମଓୟୁ ମଧ୍ୟ ସ୍ଵାକ୍ଷରିତ ହୋଇଥିଲା. ଏଥିରେ ପ୍ରାୟ ୧.୫ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ। ଆଗାମୀ ୩ ରୁ ୫ ବର୍ଷରେ ଏହି କମ୍ପାନୀଗୁଡିକର ୟୁନିଟ୍ ଜିଲ୍ଲାରେ ଆରମ୍ଭ ହେବାର ଆଶା କରାଯାଉଛି, ମାତ୍ର ଏଥିପାଇଁ ନୋଏଡାର ଲକ୍ଷ୍ୟ ରଖି କାମ କରାଯାଉଛି। ଏଥିପାଇଁ ଏଠାରେ ଟ୍ରାଫିକ ସମସ୍ୟା, ଯୋଗାଯୋଗ, ଜବର ଦଖଲ ସମସ୍ୟାର ସମାଧାନ କରିବାକୁ ପଡ଼ିବ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *