ସ୍କୁଲ ଦେୟ ଦେଇନଥିବାରୁ ବନ୍ଧକ ରହିଲେ ୫୯ ଛାତ୍ରୀ

ନୂଆଦିଲ୍ଲୀ : ପବ୍ଲିକ ସ୍କୁଲର ଆଉ ଏକ ଦାଦାଗିରି ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ସ୍କୁଲ ଫିସ ଦେଇପାରିନଥିବା ୫୯ ଜଣ ଛାତ୍ରୀଙ୍କୁ ସ୍କୁଲ ବେସମେଣ୍ଟର ୪୦ ଡ଼ିଗ୍ରୀ ତାତିରେ ସ୍କୁଲ କର୍ତ୍ତୃପକ୍ଷ ବନ୍ଧକ ବନାଇ ରଖିଥିବା ଖବର ସାମ୍ନାକୁ ଆସିଛି । ଅଭିଭାବକମାନେ ଏହି ପ୍ରସଙ୍ଗକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଖପା ହୋଇଛନ୍ତି ।

ଏ ଖବର ପ୍ରସାରିତ ହେବା ପରେ ସ୍କୁଲ ପରିସରରେ ଅଭିଭାବକମାନେ ଏକାଠି ହୋଇ ପାଟି ତୁଣ୍ଡ କରିଥିଲେ । କେଉଁ ପରିସ୍ଥିତିରେ ପିଲାମାନଙ୍କୁ ଏଭଳି ନିର୍ଦ୍ଦୟ ଭାବେ ବେସମେଣ୍ଟରେ ରଖାଗଲା ତାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଘେରିଥିଲେ । ପୋଲିସ ଜୁଭେନାଇଲ ଜଷ୍ଟିସ ଆକ୍ସର ଧାରା ୭୫ ଅନୁଯାୟୀ ମାମଲା ଦାଏର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀର ବଲ୍ଲିମାରାନ ଠାରେ ଥିବା ରାବିୟା ଗର୍ଲ ପବ୍ଲିକ ସ୍କୁଲରେ ଘଟିଥିବା ଏଭଳି ମାମଲାକୁ ନେଇ କେତେକ ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ବେସମେଣ୍ଟରେ କୁନି କୁନି ଛାତ୍ରୀମାନେ ବ୍ୟାଗକୁ ତଳେ ରଖି ଅସହାୟ ଭାବେ ଅଟକି ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆଜି ଶିଶୁ ସୁରକ୍ଷା ଆୟୋଗର ଏକ ପ୍ରତିନିଧି ମଣ୍ଡଳ ଅନୁସନ୍ଧାନ ପାଇଁ ସ୍କୁଲକୁ ଆସୁଥିବା ଜଣାଯାଇଛି ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *