ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ ସଂଖ୍ୟା ୩୦୧, ଶବ ଚିହ୍ନଟ ପାଇଁ ଡିଏନଏ ପରୀକ୍ଷା ହେବ

ଭୁବନେଶ୍ୱର : ବାହାନଗାଠାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ୩୦୧ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଶବ ଚିହ୍ନଟ ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ଫୋରେନ୍ସିକ ଲ୍ୟାବ୍ ଦ୍ୱାରା ଡିଏନଏ ପରୀକ୍ଷା କରାଯିବ ବୋଲି କହିଛନ୍ତି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା।

ଶନିବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ଜେନା କହିଛନ୍ତି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ୧୧୭୫ଜଣ ଯାତ୍ରୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭୯୩ଜଣଙ୍କୁ ଇତିମଧ୍ୟରେ ଡିସଚାର୍ଜ କରାଯାଇଥିବାବେଳେ ୩୮୨ଜଣ ଚିକତ୍ସାଧୀନ ଅଛନ୍ତି। ସେ କହିଲେ ଟ୍ରେନ ଦୁର୍ଘଟଣାରେ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଶେଷ ବଗିରୁ ଆଉ ୧୩ଟି ମୃତ ଦେହ ମିଳିଛି। କେନ୍ଦ୍ର କ୍ୟାବିନେଟ୍ ସଚିବ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପରାମର୍ଶ ତଥା ଭୁବନେଶ୍ୱରସ୍ଥିତ ଏମସ ନିର୍ଦ୍ଦେଶକଙ୍କ ସହ ବିଚାରବିମର୍ଶ ପରେ ରାଜ୍ୟ ସରକାର ୧୬୦ଜଣ ଯାତ୍ରୀଙ୍କ ଶବକୁ ଭୁବନେଶ୍ୱର ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏସବୁ ଶବକୁ ଏମସ୍ ଓ ଭୁବନେଶ୍ୱରରେ ଥିବା ବିଭିନ୍ନ ହସ୍ପିଟାଲର ଶବଗୃହରେ ରଖାଯିବ। ସେମାନଙ୍କ ସମ୍ପର୍କୀୟମାନେ ଆସିଲେ ରାଜ୍ୟ ସରକାରଙ୍କ ଅଫିସରମାନେ ସେସବୁ ସ୍ଥାନକୁ ନେଇ ଶବ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ କରିବେ। ପ୍ରତ୍ୟେକ ଶବ ରହିଥିବା ବ୍ୟାଗରେ ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ଫଟୋ ରହିଛି। ଯାହାଫଳରେ ସେମାନଙ୍କ ସମ୍ପର୍କୀୟମାନେ ଚିହ୍ନଟ କରିବା ସହଜ ହେବ। ରାଜ୍ୟ ସରକାର ମଧ୍ୟ ଚିହ୍ନଟ ହୋଇପାରୁନଥିବା ଶବର ଡିଏନଏ ନମୂନା ସଂଗ୍ରହ କରି ରଖିବା ପାଇଁ ରାଜ୍ୟ ଫୋରେନ୍ସିକ ଲ୍ୟାବକୁ କହିଛନ୍ତି। ଯେଉଁ ଶବଗୁଡ଼ିକର କେହି ଦାବିଦାର ନଥିବେ ତା’ର ପୋଷ୍ଟମର୍ଟମ ୪୮ଘଣ୍ଟା ଭିତରେ ମେଡ଼ିକୋ-ଲିଗାଲ୍ ଆଇନ ଅନୁସାରେ କରାଯିବ। ରାଜ୍ୟ ସରକାର ଏବେ ଶବ ଚିହ୍ନଟ, ଶବ ହସ୍ତାନ୍ତର ଓ ସେସବୁକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଉଛନ୍ତି।

ସେ କହିଲେ ପ୍ରାୟ ୨୦୦ଜଣ ଯାତ୍ରୀ ଆବଶ୍ୟକ ଚିକିତ୍ସା ପରେ ମେଡିକାଲରୁ ଫେରିଛନ୍ତି। ପ୍ରାୟ ୭୫୦-୮୦୦ ଯାତ୍ରୀ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସେହିପରି ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁୂଯାୟୀ ମୋଟ ୧୧୭୫ଜଣ ଯାତ୍ରୀ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭୯୩ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ଏବେ ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ମୋଟ ୩୮୨ଜଣ ଯାତ୍ରୀ ଚିକିତ୍ସାଧୀନ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button