ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ଜଗଦୀଶ ଶେଟ୍ଟାର୍
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସୃଷ୍ଟି ହୋଇଛି ଅସନ୍ତୁଷ୍ଟ। ଟିକେଟ୍ ନ ପାଇ ଅନେକ ବିଜେପି ନେତା ଦଳ ଛାଡୁଛନ୍ତି। ସେହିକ୍ରମରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି।
ସୋମବାର ସକାଳେ ଶେଟ୍ଟାର୍ ବେଙ୍ଗାଲୁରୁର ପାର୍ଟି ଅଫିସ୍କୁ ଆସି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, କର୍ଣ୍ଣାଟକ ପିସିସି ସଭାପତି ଡି. କେ. ଶିବକୁମାର, ରଣଦୀପ ସୂର୍ଯ୍ୟେୱାଲା ଓ ସିଦ୍ଧରମୈୟା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶେଟ୍ଟାର୍ କହିଛନ୍ତି ମୁଁ କର୍ଣ୍ଣାଟକ ବିଜେପି ତିଆରି କରି ଦୁର୍ବ୍ୟବହାର ପାଇଲି। ମୋ ଭଳି ବରିଷ୍ଠ ନେତାଙ୍କ ପ୍ରତି କର୍ଣ୍ଣାଟକ ବିଜେପି ଉତ୍ତମ ଆଚରଣ ପ୍ରଦର୍ଶନ କରୁନାହିଁ। ସଦାସର୍ବଦା ମୁଁ ରେକର୍ଡ ସଂଖ୍ୟକ ଭୋଟ୍ରେ ବିଜୟୀ ହୋଇ ବିଜେପିକୁ ଗୌରବାନ୍ଵିତ କରିଛି। ପ୍ରତ୍ୟେକ ପଦବୀରେ ଭଲ କାର୍ଯ୍ୟ କରିଥିଲେ ହେଁ ମୋର ଆତ୍ମସମ୍ମାନକୁ ଆଉ ଆଘାତ ଦେଇ ପାରିବି ନାହିଁ।
ସୂଚନାଯୋଗ୍ୟ ୬୭ ବର୍ଷିୟ ଶେଟ୍ଟାର୍ ଗତକାଲି ବିଜେପିରୁ ଇସ୍ତଫା ଦେବା ସମ୍ପର୍କରେ ସୂଚନାଦେଇ କହିଥିଲେ ବଡ଼ ମନକଷ୍ଟରେ ଦଳରୁ ଇସ୍ତଫା ଦେବି। ମୁଁ ଦଳ ଗଠନ କରି ଠିଆ କରାଇଥିଲି। କିନ୍ତୁ ଦଳର କେତେକ ନେତା ମୁଁ ଇସ୍ତଫା ଦେବା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି। ମୋତେ ଯେପରି ଅପମାନିତ କଲେ ସେଥିରୁ ଜଣାପଡୁଛି ଜଗଦୀଶ ଶେଟ୍ଟାର୍ କ’ଣ ସେମାନେ ବୁଝି ପାରିନାହାନ୍ତି। ସେମାନଙ୍କ ଉପେକ୍ଷା ମତେ ମର୍ମାହତ କରିଛି। ସେଥିପାଇଁ ଚୁପ୍ଚାପ୍ ନ ବସି ସେମାନଙ୍କୁ ଚାଲେଞ୍ଜ୍ କରିବା ଉଚିତ ବୋଲି ଭାବିଲି। ସେହି ଦୃଷ୍ଟିରୁ ମୁଁ ନିର୍ବାଚନ ଲଢ଼ିବି ବୋଲି କହୁଛି।