ବିବାହର କିଛିକ୍ଷଣ ପରେ ବିଧବା ହେଲେ କନ୍ୟା
ଭାଗଲପୁର : ବିଧିର ବିଧାନ ବଡ ବିଚିତ୍ର। କାହାକୁ ମିଳେ କଳ୍ପନାତୀତ ସୁଖ। ଆଉ କାହା ଭାଗ୍ୟରେ ଭାଙ୍ଗିପଡେ ଦୁଃଖର ପାହାଡ। ଏପରି ଘଟଣା ବିହାରର ଭାଗଲପୁରରେ ଦେଖିବାକୁ ମିଳିଛି। ସିନ୍ଦୂର ପିନ୍ଧିବାର କିଛି ସମୟ ପରେ ନବବିବାହିତା ହୋଇଛି ବିଧବା। ଏହି ଖବର ସମଗ୍ର ଦୁଃଖଦ ଅଞ୍ଚଳରେ ଦୁଃଖର ଛାୟା ଖେଳାଇଦେଇଛି।
ଖବର ଅନୁଯାୟୀ ମଇ ୩ ତାରିଖରେ ଦିଲ୍ଲୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ୩୦ ବର୍ଷୀୟ ବିନୀତ ପ୍ରକାଶ ବିବାହ ପାଇଁ ଭାଗଲପୁରରେ ପହଞ୍ଚିଥିଲେ। ଖୁବ୍ ଧୁମଧାମରେ ଅନୁଷ୍ଠିତ ହୋଇଥିଲା ବାହାଘର। ୨୫ ବର୍ଷିୟ ଆୟୁଷୀଙ୍କ ମଥାରେ ସିନ୍ଦୂର ଦେଇ ବିନୀତ କରିଥିଲେ ଜୀବନସାଥୀ। ଉଭୟ ପରିବାର ମନରେ ଥିଲା ଖୁସି। ହେଲେ ଏହି ଖୁସି ବେଶୀ ସମୟ ତିଷ୍ଠିଲାନି। ବିବାହର ସମସ୍ତ ରୀତିନୀତି ସରିଥିଲା। ବରକନ୍ୟାଙ୍କୁ ବିଦାୟ ଦେବା ସମୟରେ ହଠାତ୍ ବିନୀତଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ବରପକ୍ଷ ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଜବାହରଲାଲ ନେହେରୁ ମେଡିକାଲ କଲେଜ ହସ୍ପିଟାଲ ମାୟାଗଞ୍ଜକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ବିନୀତଙ୍କ ମୃତ୍ୟୁକୁ କେହି ଗ୍ରହଣ କରିପାରୁ ନାହାନ୍ତି। କାନ୍ଦବୋବାଳରେ ଫାଟି ପଡ଼ୁଛି ସ୍ଥାନୀୟ ଅଞ୍ଚଳ। ହେଲେ ସଂପର୍କୀୟମାନେ କହିଛନ୍ତି ବିବାହ ପୂର୍ବଦିନ ରାତିରେ ବିନୀତଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ଅନ୍ୟପକ୍ଷରେ ମୃତ୍ୟୁକୁ ନେଇ ସନ୍ଦେହ ହେବାରୁ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ବରପକ୍ଷ ଝିଅ ଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିବାରୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।