ବସ୍ ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ମାଲିକ ସଂଘ
ଭୁବନେଶ୍ଵର : କଳାହାଣ୍ଡିର ବିଭିନ୍ନ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ‘ଲକ୍ଷ୍ମୀ’ ଯୋଜନାରେ ବସ୍ ଚାଲିଲେ ୧୦ଟି ଜିଲ୍ଲାରେ ବସ୍ ଧର୍ମଘଟ କରାଯିବ ବୋଲି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ କହିଥିଲା। ଏହି ନିଷ୍ପତ୍ତିରୁ ସଂଘ ଓହରି ଯାଇଛି।
ଖବର ଅନୁଯାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ କହିଛନ୍ତି ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିବାରୁ ବୁଧବାର ବସ୍ ଧର୍ମଘଟ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ସହ ବସ୍ ମାଲିକ ସଂଘର ଆଲୋଚନା ହୋଇଛି। ଘରୋଇ ବସ୍ ମାଲିକମାନଙ୍କର ବ୍ୟବସାୟିକ କ୍ଷତି ହେବା ଭଳି ପଦକ୍ଷେପ ସରକାର ନେବେ ନାହିଁ ବୋଲି ଆଶ୍ୱସ୍ତ କରିଛନ୍ତି। ତେବେ ସରକାର ଯଦି ଲକ୍ଷ୍ମୀ ବସକୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଚଳାଚଳ କରନ୍ତି ତା’ହେଲେ ବିରୋଧ କରାଯିବ। ଏସଂକ୍ରାନ୍ତରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଆସନ୍ତା ୮ତାରିଖରେ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।