ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ୱର : ପୂର୍ବତଟ ରେଳପଥରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପାଇଁ କଂଗ୍ରେସ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି।
ଖବର ଅନୁଯାୟୀ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପଂଚାନନ କାନୁନଗୋ କହିଛନ୍ତି ଓଡ଼ିଶାରୁ ଉଭୟ ବିଜେଡ଼ି ଓ ବିଜେପିର ସମର୍ଥନରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ରେଳମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶାର ଲଜ୍ଜା ଓ ଦେଶବାସୀଙ୍କ ପାଇଁ ଦୁଃଖ ପାଲଟିଛନ୍ତି। ପୂର୍ବରୁ ରେଳବିଭାଗ ପାଇଁ ଏକ ସ୍ୱତନ୍ତ୍ର ବଜେଟ ସଂସଦରେ ଉପସ୍ଥାପନ କରାଯାଉଥିଲା। କିନ୍ତୁ ମୋଦି ସରକାରଙ୍କ ସମୟରେ ରେଳ ବଜେଟ ସାଧାରଣ ବଜେଟ ଭିତରେ ମିଶାଇ ଦିଆଯିବାରୁ ଅନେକ ବୈଷୟିକ କାର୍ଯ୍ୟକଳାପ ଓ ଆର୍ଥିକସ୍ଥିତି ବିଷୟରେ ସାଧାରଣ ଜନତାଙ୍କର ଜାଣିବାର ସୁଯୋଗ ନାହିଁ। ବନ୍ଦେ ଭାରତ ଏକ୍ସପ୍ରେସ ଭଳି ଏକ ନିର୍ଦ୍ଦିଷ୍ଟ ଟ୍ରେନକୁ ଅତ୍ୟଧିକ ବେଗରେ ଚଳାଇବା ପାଇଁ ଯେଉଁ ତୁଚ୍ଛା ପ୍ରତିଯୋଗିତା ଆରମ୍ଭ କରାଯାଇଛି ସେଥିରେ ସାଧାରଣ ଭାବରେ ଚଳାଚଳ କରୁଥିବା ସୁପରଫାଷ୍ଟ, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ବିପନ୍ନ ହୋଇଛି।
ସେ କହିଲେ ୨୦୦୦ରୁ ୨୦୨୩ ମସିହା ଭିତରେ ଟ୍ରେନର ସଂଖ୍ୟାରେ ୭୦% ବୃଦ୍ଧି ପାଇଛି। କିନ୍ତୁ ସେହି ତୁଳନାରେ ଅଧିକ ସଂଖ୍ୟକ ରେଲୱେ ଟ୍ରାକ ବିଛାଇବା କାର୍ଯ୍ୟ ଆଦୌ କରାଯାଇ ନାହିଁ। ରେଲୱେ ସିଗ୍ନାଲ ସିଷ୍ଟମରେ ବ୍ୟାପକ ବୈଷୟୀକ ତୃଟି ଯୋଗୁଁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ଓ ପରବର୍ତ୍ତୀ ସମୟରେ ଦେଶରେ ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟିଛି। ଏଥିରେ ବ୍ୟାପକ ଧନଜୀବନ ନଷ୍ଟ ସାହିତ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରିଛନ୍ତି। ଗତକାଲି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାରେ ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଘଟିଥିବା ଦୁର୍ଘଟଣା ଅତିବ ଦୁଃଖଦାୟକ। ଏତେ ଦୁର୍ଘଟଣା ପରେ ମଧ୍ୟ ରେଳମନ୍ତ୍ରୀ କିଛି ଶିକ୍ଷାଲାଭ କଲାଭଳି ଲାଗୁନାହିଁ। ତେଣୁ ଓଡ଼ିଶାକୁ ଜାତୀୟସ୍ତରରେ ଅଧିକ ଲଜ୍ଜିତ ହେବାକୁ ନଦେଇ ନୈତିକତା ଦୃଷ୍ଟିରୁ ସେ ତୁରନ୍ତ ଇସ୍ତଫା ଦେବାକୁ ଶ୍ରୀ କାନୁନଗୋ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।