ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ ମାମଲା : ପ୍ରେମିକାର ବଡ଼ ଭଉଣୀଙ୍କ ବନ୍ଧୁ ଓ ଧରମ ଭାଇ ଗିରଫ

କଟକ : ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। କମିସନରେଟ୍ ପୋଲିସ ଏହା ସ୍ପଷ୍ଟ କରିଥିବା ବେଳେ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଆଜି ଦୁଇଜଣଙ୍କୁ ଜଗତପୁର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ତୁଷାରଙ୍କ ପ୍ରେମିକାର ବଡ଼ ଭଉଣୀ ଓ ତାଙ୍କ ପୁରୁଷ ବନ୍ଧୁ ଜୁବୁ ଓରଫ ଦିବ୍ୟରଞ୍ଜନ ବେହେରା ଓ ବଡ଼ ଭଉଣୀଙ୍କ ଧରମ ଭାଇ କୌଶଲ ପ୍ରଧାନ।

ଖବର ଅନୁଯାୟୀ ବକ୍ସିବଜାର ଅଞ୍ଚଳର ହୃଷିକେଶ ସାହୁଙ୍କ ପୁଅ ତୁଷାରକାନ୍ତ ଖ୍ରୀଷ୍ଟ କଲେଜର ଛାତ୍ର। ସେହି କଲେଜରେ ଜଣେ ନାବାଳିକା ସହପାଠୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ଜାନୁଆରିରେ ପ୍ରେମ ଓ ଜୁନ୍ ବେଳକୁ ପ୍ରେମ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ। କାରଣ ପ୍ରେମିକାଙ୍କର ପୂର୍ବରୁ ସାଲେପୁର ଅଞ୍ଚଳର ଜଣେ ପ୍ରେମିକ ଥିଲେ। ପୂର୍ବତନ ପ୍ରେମିକ ଘଟଣା ସମ୍ପର୍କରେ ଜାଣିବା ପରେ ସେ ପ୍ରେମିକାଙ୍କଠାରୁ ଦୂରେଇ ଯିବାରୁ ପ୍ରେମିକା ମାନସିକ ଚାପରେ ରହିଥିଲେ ତୁଷାରଙ୍କୁ ପ୍ରେମ କରୁଥିବା ଯୁବତୀ। ନିଜ ଆଡ଼ୁ ପ୍ରେମ ସମ୍ପର୍କ ସୃଷ୍ଟି କରିଥିବା ଦର୍ଶାଇ ସାଲେପୁରର ପ୍ରେମିକଙ୍କୁ ଭୁଲ ମାଗିବାକୁ ତୁଷାରକୁ ବାଧ୍ୟ କରିଥିଲେ ପ୍ରେମିକା। ନଚେତ ଅପରାଧିକ ମାମଲାରେ ଫସାଇଦେବାକୁ କହିଥିଲେ। ମାନସିକ ଚାପ ପଡି ତୁଷାର ସାଲେପୁରର ପ୍ରେମିକଙ୍କୁ ଭୁଲ ମାଗିଥିଲେ। କିନ୍ତୁ ସେ କୌଣସି କଥା ଶୁଣି ନଥିଲେ। ଗଲା ଅଗଷ୍ଟ ୩ ତାରିଖ ସନ୍ଧ୍ୟାରେ ତୁଷାରଙ୍କ ପ୍ରେମିକା, ତାଙ୍କ ବଡ଼ ଭଉଣୀ, ଉଉଣୀଙ୍କ ପୁରୁଷ ବନ୍ଧୁ ଓ ଧରମ ଭାଇ ତୁଷାରଙ୍କୁ ଇଣ୍ଡୋର ଷ୍ଟାଡିୟମ ଡାକିଥିଲେ। ସେଠାରେ ତୁଷାରଙ୍କୁ ସେମାନେ ମାଡ଼ ମାରିଥିଲେ।

ମାଡ଼ ଖାଇବା ପରେ ତୁଷାର ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଭଉଣୀଙ୍କ ସ୍କୁଟି ନେଇ ରାତି ପ୍ରାୟ ୮ଟାରେ ମଧୁସୂଦନ ସେତୁ ଆଡ଼କୁ ଯାଇଥିଲେ। ବ୍ରିଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁ ପଡ଼ିଥିଲେ। ଅଗଷ୍ଟ ୫ରେ ଯୋବ୍ରା ବ୍ୟାରେଜରୁ ତୁଷାରଙ୍କ ଶବ ମିଳିବା ପରେ ଜଗତପୁର ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ସେପ୍ଟେମ୍ବର ୯ରେ ଅପମୃତ୍ୟୁ ମାମଲା ଅପରାଧିକ ମାମଲାକୁ ପରିବର୍ତ୍ତନ ହୋଇଥିଲା। ଜଗତପୁର ଥାନା ଏସଆଇ ପି.କେ ଦାସଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ଆଧାରରେ ତୁଷାରଙ୍କ ପ୍ରେମିକା, ପ୍ରେମିକାଙ୍କ ବଡ଼ ଉଉଣୀ, ବଡ଼ ଭଉଣୀଙ୍କ ପୁରୁଷ ବନ୍ଧୁ ଓ ଧରମ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମୃତ୍ୟୁ ପୂର୍ବରୁ ଉପରୋକ୍ତ ଚାରିଜଣଙ୍କ ନିର୍ଯାତନା କଥା ତୁଷାର ବନ୍ଧୁ ସୌମ୍ୟ, ଭିକି, ହର୍ଷଦଙ୍କୁ ଜଣାଇବା ସହିତ ଏହି କାରଣରୁ ସେ ଦିନେ ଆତ୍ମହତ୍ୟା କରିବେ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button